ରାଉରକେଲା ୯/୯,(ଉତ୍କଳ ସମାଚାର) ଇସ୍ପାତ କାରଖାନା ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିବା ସ୍ଥାନୀୟ ୭୦ ମୌଜାର ଅଧିବାସୀମାନେ ବହୁଦିନ ହେବ ସେମାନଙ୍କ ସମସ୍ୟା ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ସମସ୍ୟା ଲାଗି ରହିଥିବାରୁ, ୭୦ ମୌଜା ବିସ୍ଥାପିତ ସଂଘ ପକ୍ଷରୁ ସଭାପତି ଖାଡା କୁଜୁରଙ୍କ ନେତୃତ୍ୱରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଥିଲା। ଏଥିସହିତ ୭୦ ମୌଜା ବିସ୍ଥାପିତ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀରଙ୍କୁ ସାକ୍ଷାତ କରିବା ସହ ସେମାନେ ସେମାନଙ୍କ ଦୁଃଖ ଜଣାଇଥିଲେ। ୭୦ ମୌଜା ବିସ୍ଥାପିତ ସଂଘର ସଭାପତି ଖାଡା କୁଜୁର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେମାନେ ବିସ୍ଥାପିତ ସମସ୍ଯା ନେଇ ଏଡିଏମଙ୍କ ଦୌଡିବା ସହ ଦାବି ମଧ୍ୟ କରୁଛନ୍ତି, ଆର୍.ପି.ଡି.ସି. ମିଟିଙ୍ଗ ମଧ୍ୟ ୬ଟି ହୋଇସାରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇପାରି ନଥିବାରୁ, ବିସ୍ଥାପିତ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହିତ ଏପରି ଅନ୍ୟାୟ ସେମାନଙ୍କ ପ୍ରତି ହେବା ଉଚିତ୍ ନୁହେଁ ବୋଲି କହିଥିଲେ। ୭୦ ମୌଜା ବିସ୍ଥାପିତ ସଂଘ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପରେ, ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନାଃ ଦସ୍ତଗୀର୍ ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, ଆସନ୍ତା ମାସରେ ଭୁବନେଶ୍ବର ଠାରେ ହେବାକୁ ଥିବା ମିଟିଙ୍ଗରେ ଏ ବିଷୟ ନେଇ ଆଲୋଚନା ହେବ। ବରକାନିରେ ପ୍ରସ୍ତାବିତ ରାଉରକେଲା ଇସ୍ପାତ କାରଖାନାର ବର୍ଦ୍ଧିତ (Extention) ପ୍ରକଳ୍ପରେ ବିସ୍ଥାପିତଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ସମସ୍ୟାର ସମାଧାନ କରାଯିବାକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନାଃ ଦସ୍ତଗୀର୍ ପ୍ରତିଶ୍ରୁତି ଦେଇଥିଲେ। ୭୦ ମୌଜା ବିସ୍ଥାପିତ ସଂଘ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣାରେ ୭୦ ମୌଜା ବିସ୍ଥାପିତ ସଂଘର ସଭାପତି ଖାଡା କୁଜୁର, ସମ୍ପାଦକ ପୁରୋନ ଖାଲକୋ, ଉପଦେଷ୍ଟା ମୋଚିରାମ ତନ୍ତୀ, ବସନ୍ତ କିସାନ, ସୁଙ୍କାର ମହାତ୍ମା ଅନିଲ କୁମାର, ଲକ୍ଷ୍ମୀ ଭୁମିଜ, ସାବିତ୍ରୀ ଭୁମିଜ, ଶମ୍ଭୁନାଥ ପ୍ରସାୟତ, ସମୀର ପ୍ରମୁଖ ଶତାଧିକ ବିସ୍ଥାପିତ ବ୍ୟକ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ଓ ଧାରଣାରେ ସାମିଲ ହୋଇଥିଲେ।

