ସମ୍ବଲପୁର,୦୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଗ୍ରାମପଞ୍ଚାୟତରେ ବେଆଇନ ମହୁଲି ମଦ ଓ କୁସୁନା ବିକ୍ରି ବନ୍ଦ କରିବାକୁ ଦାବି କରି ସ୍ଥାନୀୟ ମହିଳାମାନେ ବୁଧବାର କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଅବକାରୀ ବିଭାଗ, କୁଚିଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କୁଚିଣ୍ଡା ଥାନାରେ ମଧ୍ୟ ଅଭିଯୋଗ ଦାଖଲ କରିଥିବା ସେମାନେ କହିଛନ୍ତି।ଭିଯୋଗପତ୍ର ଅନୁସାରେ, ଡିମିରିମୁଣ୍ଡା ସମେତ ବାଲିବୁଡ଼ା, ବାମଣ୍ଡାଗଡ଼, ଲେପେଇକାନି ଓ ତବଲାକଟା ଆଦି ଗ୍ରାମରେ ମଦ ଓ କୁସୁନା ବିକ୍ରି ବଢ଼ିଛି। ଏହାର ପ୍ରଭାବରେ କେତେକ ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିବା ଏବଂ ମହିଳା ଓ ପିଲାମାନେ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗକାରୀମାନେ ଦର୍ଶାଇଛନ୍ତି। ନିଶାସକ୍ତ ବ୍ୟକ୍ତିଙ୍କ ଯୋଗୁଁ ରାସ୍ତାଘାଟରେ ଗଣ୍ଡଗୋଳ ଓ ଅସଦାଚରଣ ଘଟୁଥିବା ମଧ୍ୟ ସେମାନଙ୍କ ଅଭିଯୋଗ।ପଞ୍ଚାୟତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ, ପଞ୍ଚାୟତ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଓ ପୂଜାସ୍ଥଳ ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ ଯାତାୟାତ କରୁଥିବାରୁ ପରିସ୍ଥିତି ଉପରେ ତୁରନ୍ତ ଧ୍ୟାନ ଦେବାକୁ ମହିଳାମାନେ ଅନୁରୋଧ କରିଛନ୍ତି।ବେଆଇନ ବିକ୍ରିର ତଦନ୍ତ କରି ତାହା ବନ୍ଦ କରିବା, ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଏଥିସହ ନିଶାମୁକ୍ତି ସଚେତନତା ଶିବିର ଆୟୋଜନ ଓ ଅଭିଯୋଗ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ଅନୁରୋଧ କରିଛନ୍ତି। ଅଭିଯୋଗ ଦେବା ସମୟରେ ରିଙ୍କି ବେହେରା, ପ୍ରମିଳା କିସାନ, ସୁକାନ୍ତି ଝଙ୍କାର, କୁମୁଦିନୀ ବାଘ, ତୁଟିଥା କିସାନ, ମମତା ବାଘ ଓ ଜନନୀ ବାଘଙ୍କ ସମେତ ଅନେକ ମହିଳା ଉପସ୍ଥିତ ଥିଲେ। ଶୀଘ୍ର ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି

