ରାଉରକେଲା ୦୩/୧୦,(ଉତ୍କଳ ସମାଚାର) ୨୬୩/୨୦୨୬ ଛିନତାଇ ମାମଲାର ତଦନ୍ତ କରି ଛେଣ୍ଡ ପୋଲିସ୍ ବଡ଼ ସଫଳତା ହାସଲ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ଛିନତାଇ ହୋଇଥିବା ସୁନା ଅଳଙ୍କାର, ମୋବାଇଲ ଫୋନ୍ ସହିତ ଗୋଟିଏ ବାଇକକୁ ମଧ୍ୟ ଜବତ୍ କରାଯାଇଛି। ଆଜି ଛେଣ୍ଡ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଥିଲେ ଏସଡିପିଓ ସୁଶାନ୍ତ ଦାସ, ଛେଣ୍ଡ ଥାନା ଆଇଆଇସି ବିକ୍ରମ କୁମାର ଭାୟା, ଏସ୍ଆଇ ପ୍ରିୟଙ୍କା ସାହୁ ଏବଂ ଏସ୍ଆଇ ଓମ୍ ପ୍ରକାଶ। ସୂଚନା ଅନୁସାରେ ୨୫.୦୯.୨୦୨୬ ତାରିଖ ରାତି ୯ଟା ସମୟରେ ମାମଲାର ଅଭିଯୋଗକାରୀ ରାଉରକେଲା ଛେଣ୍ଡ କଲୋନୀ ପ୍ଲଟ୍ ନଂ. ଏଲ୍-୪୦, ଫେଜ୍-୧ର ଅନିଲ କୁମାର ବଜାଜଙ୍କ ପତ୍ନୀ ପୁନମ୍ ବଜାଜ୍ (୪୮), ଛେଣ୍ଡ ଥାନାରେ ହାଜର ହୋଇ ଆଇଆଇସିଙ୍କ ସମ୍ମୁଖରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଯେ, ୨୫.୦୯.୨୦୨୬ ରାତି ପ୍ରାୟ ୮ଟା ୧୫ ସମୟରେ, ସେ ଅମ୍ବାଗାନ ଅଳଙ୍କାର ଦୋକାନରୁ ସୁନା କିଣି ଘରକୁ ଫେରୁଥିବା ସମୟରେ, ଛେଣ୍ଡ ପତଞ୍ଜଳି ଷ୍ଟୋର ନିକଟରେ ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଏକ ଲାଲ ରଙ୍ଗର ମୋଟରସାଇକେଲ ଆସିଥିଲେ। ଉକ୍ତ ବ୍ୟକ୍ତିମାନେ ତାଙ୍କ ୱାଲେଟ୍ (ପର୍ସ) ଛଡ଼ାଇ ନେଇଥିଲେ। ଯେଉଁଥିରେ ୩୨,୪୨୬ ଟଙ୍କାରେ କିଣାଯାଇଥିବା ସୁନା କାନଫୁଲ, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ୧୫,୦୦୦ ଟଙ୍କା ନଗଦ ଥିଲା। ସେ ଛେଣ୍ଡ ଥାନାରେ ଏକ ଏତାଲା ଦାଖଲ କରିଥିଲେ। ସେହି ଏତାଲା ଆଧାରରେ ପୋଲିସ୍ ପକ୍ଷରୁ ଉପରୋକ୍ତ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ ଏବଂ ତୁରନ୍ତ ତଦନ୍ତ ମାଧ୍ୟମରେ, ପୋଲିସ ପକ୍ଷରୁ ଏହି ଛିନତାଇ ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ସେକ୍ଟର-୧୪ ବି/୩-୩୯୩ର ସୁଭମ କୁମାର ତାଜାନ (୨୧) ଏବଂ ସେକ୍ଟର-୧୫ ଥାନା ଅଧିନସ୍ଥ ସେକ୍ଟର-୧୪ ଶାନ୍ତି ନଗର ବସ୍ତିର ପ୍ରକାଶ ରାୟ (୨୮)। ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଛିନତାଇ ଜିନିଷ ଉଦ୍ଧାର କରାଯାଇଛି। ଜବତ କରାଯାଇଥିବା ଜିନିଷ ମଧ୍ୟରେ ଦୁଇଟି ସୁନା କାନ ଫୁଲ, ଗୋଟିଏ ମୋଟୋରୋଲା ଆଣ୍ଡ୍ରଏଡ୍ ଫୋନ୍ ଏବଂ ଏକ ମୋଟରସାଇକେଲ ଯାହାର ପଞ୍ଜିକରଣ ନମ୍ବର- OD-14-AK-9649 ଅଭିଯୁକ୍ତ ପ୍ରକାଶ ରାୟ ନାମରେ ପୂର୍ବରୁ ଛେଣ୍ଡ ଥାନାରେ ୧୧ଟି ମାମଲା ରହିଥିବା ବେଳେ ସେକ୍ଟର-୧୫ ଥାନାରେ ୩ଟି ମାମଲା ରହିଛି। ସେହିପରି ସୁଭମ୍ କୁମାର ତାଜାନ୍ ନାମରେ ଛେଣ୍ଡ ଥାନାରେ ଦୁଇଟି ମାମଲା ରହିଛି। ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନ୍ଏସର ଧାରା ୩୦୪(୨)/୩(୫)ରେ ଛେଣ୍ଡ ଥାନାର କେସ୍ ନମ୍ବର ୨୬୩/୨୫-୯-୨୦୨୬ ତାରିଖରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

