ଦେଶ -ବିଦେଶ

ସାମାଜିକ ଗଣମାଧ୍ୟମର ବରଦାନ: ଜନ୍ମରୁ ବିଚ୍ଛିନ୍ନ, ୧୯ ବର୍ଷ ପରେ ପୁନର୍ମିଳନ

ଅନେକ ନକାରାତ୍ମକତା ସତ୍ତ୍ବେ ସାମାଜିକ ଗଣମାଧ୍ୟମ ଯେ ଏକ ଆଶୀର୍ବାଦ, ତାହା ଅସ୍ବୀକାର କରିହେବ ନାହିଁ। ଏହା ପୃଥିବୀର ଯେ କୌଣସି ସ୍ଥାନରେ ଥାଇ ଅନ୍ୟମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ସାମାଜିକ ଗଣମାଧ୍ୟମ ହଜିଯାଇଥିବା ସମ୍ପର୍କୀୟଙ୍କୁ ଖୋଜି ପାଇବାର ଏକ ଉତ୍କୃଷ୍ଟ ମଞ୍ଚ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ପୃଥିବୀର ସବୁଠାରୁ ବିବାଦୀୟ ତଥା ଭାରତରେ ନିଷିଦ୍ଧ ସାମାଜିକ ଗଣମାଧ୍ୟମ ‘ଟିକ୍‌ଟକ୍‌’ କାରଣରୁ ଜନ୍ମରୁ ବିଚ୍ଛିନ୍ନ ହୋଇଯାଇଥିବା ଦୁଇ ଯମଜ ଭଉଣୀ ଦୀର୍ଘ ୧୯ ବର୍ଷ ପରେ ପରସ୍ପରଙ୍କୁ ଭେଟିଛନ୍ତି। ପୂର୍ବ ୟୁରୋପ୍‌ର ଜର୍ଜିଆରେ ରହୁଥିବା ୨୧ ବର୍ଷୀୟା ଆନୋ ସାର୍ତାନିଆ ୨୦୨୧ ନଭେମ୍ବରରେ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ଏକ ଟିକ୍‌ଟକ୍‌ ଭିଡିଓ ପାଇଥିଲେ। ଉକ୍ତ ଭିଡିଓରେ ନୀଳ ରଙ୍ଗର କେଶ ଥିବା ଜଣେ ଯୁବତୀ ଅବିକଳ ସାର୍ତାନିଆଙ୍କ ଭଳି ଦେଖାଯାଉଥିଲେ।ଉକ୍ତ ଯୁବତୀଙ୍କୁ ପ୍ରଥମେ ସାର୍ତାନିଆ ବୋଲି ଭାବିଥିବା ସେହି ବନ୍ଧୁ ଜଣକ କୌତୂହଳବଶତଃ ସେଇ ନୀଳ କେଶବତୀଙ୍କ ବିଷୟରେ ପଚାରି ବୁଝିଥିଲେ। ତେବେ ଭିଡିଓ ଦେଖିସାରି ସାର୍ତାନିଆ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଭିଡିଓରେ ଥିବା ଯୁବତୀଙ୍କ ବିଷୟରେ ଅନ୍ବେଷଣ ଜାରି ରଖିଲେ। ସେହି ସମରୂପୀଙ୍କୁ କାଳେ କେହି ଜାଣିଥିବେ, ସେଇ ଆଶାରେ ସାର୍ତାନିଆ ଫେସବୁକ୍‌ରେ ଉକ୍ତ ଭିଡିଓକୁ ଛାଡ଼ିଥିଲେ। ଶେଷରେ ଖୋଜାଯାଉଥିବା ଯୁବତୀଙ୍କ ପାଖରେ ଭିଡିଓଟି ପହଞ୍ଚିଥିଲା ଏବଂ ସେ ସାର୍ତାନିଆଙ୍କ ଯମଜ ଭଉଣୀ ତାକୋ ଖ୍ବିତିଆ ବୋଲି ଜଣାପଡ଼ିଥିଲା। ସେମାନେ ପରସ୍ପରକୁ ଜର୍ଜିଆ ରାଜଧାନୀ ଟ୍ବିଲିସିର ରୁସ୍ତାଭେଲି ପୋଲ ଉପରେ ଭେଟିଲା ପରେ ସତ୍ୟାସତ୍ୟ ସାମନାକୁ ଆସିଥିଲା। ୨୦୦୨ ଜୁନ୍‌ ୨୦ରେ କିର୍ତସ୍‌ଖି ନାମକ ଏକ ଛୋଟ ଗାଆଁରେ ସେମାନଙ୍କ ମାଆ ଆଜା ସୋନି ସେମାନଙ୍କୁ ଜନ୍ମ ଦେଇଥିଲେ। ତେବେ କୌଣସି ପ୍ରସବ ଜଟିଳତା ଯୋଗୁଁ ସେ କୋମାକୁ ଚାଲିଯାଇଥିଲେ। ପୂର୍ବରୁ ଆଉ ତିନି ସନ୍ତାନଙ୍କୁ ଲାଭ କରିସାରିଥିବା ସେମାନଙ୍କ ପିତା ଗୋଚା ଗାଖାରିଆ ଏକ ଅବାଞ୍ଛିତ ନିଷ୍ପତ୍ତି ନେଇ ଯମଜ କନ୍ୟାଦ୍ବୟଙ୍କୁ ଭିନ୍ନ ଭିନ୍ନ ପରିବାରକୁ ବିକ୍ରି କରିଦେଇଥିଲେ। ସାର୍ତାନିଆ ଟ୍ବିସିଲିରେ ପ୍ରତିପାଳିତ ହୋଇଥିବା ବେଳେ ସେଠାରୁ ୨୫୦ କି.ମି. ଦୂର ଜୁଗଡିଡିରେ ଖ୍ବିତିଆ ବଡ଼ ହୋଇଥିଲେ।

Leave a Reply

Your email address will not be published. Required fields are marked *