ମହାନଗରମୁଖ୍ୟ ଖବରରାଜ୍ୟ

ନିଖିଳ ଓଡିଶା ଗୃହ ମଜଦୁର ସଭା ପକ୍ଷରୁ ବିଭିନ୍ନ ଦାବୀ ନେଇ ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ

ରାଉରକେଲା, ୨୧/୨(ଉତ୍କଳ ସମାଚାର): ନିଖିଳ ଓଡିଶା ଗୃହ ମଜଦୁର ସଂଘ, ରାଉରକେଲା ପକ୍ଷରୁ ଆଜି ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ଯମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବୀପତ୍ର ଯୁଗ୍ମ ଶ୍ରମ ସଂସ୍ଥାପକଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀଗୁଡିକ ମଧ୍ୟରେ ଘରୋଇ ଶ୍ରମିକଙ୍କ ପାଇଁ ଏକ ବିସ୍ତୃତ ଆଇନ୍ ପ୍ରଣୟନ କରାଯିବା ସହ ସରକାର, ନିଯୁକ୍ତିଦାତା ଓ ଶ୍ରମିକମାନଙ୍କର ୫୦ପ୍ରତିଶତ ସଦସ୍ଯଙ୍କୁ ନେଇ ତ୍ରିପାକ୍ଷିକ ବୋର୍ଡ ଗଠନ କରାଯିବା ପାଇଁ ଦାବୀ କରାଯାଇଛି। ନିଯୁକ୍ତିଦାତା, ପ୍ଲେସମେଣ୍ଟ ଏଜେନ୍ସି ଏବଂ ଶ୍ରମିକମାନଙ୍କ ବାଧ୍ଯତାମୂଳକ ପଞ୍ଜୀକରଣ କରାଯିବା ସହିତ ଘରୋଇ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଇଁ ସେମାନଙ୍କ ଠାରୁ ବାର୍ଷିକ ଅବଦାନ ସଂଗ୍ରହ କରାଯାଉ। ଘରୋଇ ଶ୍ରମିକମାନଙ୍କ କାର୍ଯ୍ୟ ସ୍ଥାନ, ପ୍ରତିଷ୍ଠା ଓ କର୍ମକ୍ଷେତ୍ର ଭାବରେ ଚିହ୍ନଟ କରାଯିବା ଆବଶ୍ୟକ। ଘରୋଇ ଶ୍ରମିକମାନଙ୍କୁ ଇଏସ୍ଆଇ, ପ୍ରୋଭିଡେଣ୍ଟ ଫଣ୍ଡରେ ଅନ୍ତର୍ଭୂକ୍ତ କରାଯାଉ। ଗୃହ ଅଧିକାର ଓ ସହରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି। ଗୃହ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରାଯାଉ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି। ଯଦି ନିର୍ବାଚନ ପୂର୍ବରୁ ସରକାର ଘରୋଇ କର୍ମୀଙ୍କୁ ନିଜସ୍ବ ପରିଚୟ ପତ୍ର ପ୍ରଦାନ ନକରନ୍ତି, ତା’ହେଲେ ସପରିବାର ଭୋଟ ବର୍ଜନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ହିନ୍ଦ୍ ମଜଦୁର ସଭାର ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ସମେତ ନିଖିଳ ଓଡିଶା ଗୃହ ମଜଦୁର ସଭାର ସଭାପତି ଚନ୍ଦନ ରାଉ,ମୁକ୍ତା ବେଜ, ପ୍ରମିଳା କିଣ୍ଡୋ, ସୁରବଲୀ ବାଗ, ବୃନ୍ଦା ବାରିକ୍, ଜୟଲକ୍ଷ୍ମୀ ସିଂହ, ଚନ୍ଦ୍ରକାନ୍ତୀ ଭୋଇ, ତୁଳସୀ ନାଗ, ସବିତା ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *