ସମ୍ବଲପୁର,୨୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ୱଲପୁର ଜିଲ୍ଲାରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ନାଥଙ୍କ ପୁନଃ ଅବସ୍ଥାପନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ ପ୍ରକାଶ ପାଇଛି। ତାଙ୍କୁ ଖିଣ୍ଡା ପଞ୍ଚାୟତକୁ ବଦଳି ନ କରିବା ଦାବିରେ ଖିଣ୍ଡା ବରିଷ୍ଠ ନାଗରିକ ପରିଷଦ ତଥା ଗ୍ରାମବାସୀଙ୍କ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ଅନୁସାରେ, ନାଥ ପୂର୍ବରୁ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଖୁଣ୍ଡା ପଞ୍ଚାୟତରେ ସମ୍ପାଦକ ପଦରେ କାର୍ଯ୍ୟ କରିଥିଲେ, ମାତ୍ର ତାଙ୍କ କାର୍ଯ୍ୟଶୈଳୀରେ ଗ୍ରାମବାସୀ ଆଦୌ ସନ୍ତୁଷ୍ଟ ନଥିବା ବେଳେ ସେହି ସମୟରେ ତାଙ୍କ ବିରୋଧରେ ବହୁ ଅଭିଯୋଗ ରହିଥିଲା। ବର୍ତ୍ତମାନ ସେ ବଦଳି ହୋଇ ପୁଣିଥରେ ରେଙ୍ଗାଲି ବ୍ଲକକୁ ଫେରିଆସିବା ପରେ ବିଭିନ୍ନ ମହଲରୁ ଚାପ ପ୍ରୟୋଗ କରି ଖିଣ୍ଡା ପଞ୍ଚାୟତରେ ଯୋଗ ଦେବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହା ସହିତ ସେ ଅବିଭକ୍ତ ଖିଣ୍ଡା ଓ ଠେଲକୋଲୋଇ ଗ୍ରାମପଞ୍ଚାୟତର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଏବେ ମଧ୍ୟ ଉଭୟ ପଞ୍ଚାୟତ ପାଇଁ ଗୋଟିଏ ସାଧାରଣ ବଣ୍ଟନ ବ୍ୟବସ୍ଥା ରହିଥିବାରୁ ନିୟମ ଅନୁସାରେ ହୋମ୍ ପଞ୍ଚାୟତରେ ତାଙ୍କ ନିଯୁକ୍ତି ଯଥାର୍ଥ ନୁହେଁ ଏବଂ ସରକାରୀ ଚାକିରିରେ ଥାଇ ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଥିବା ଗ୍ରାମବାସୀ ଦର୍ଶାଇଛନ୍ତି । ପ୍ରଶାସନ ଯଦି ଗ୍ରାମବାସୀଙ୍କ ଏହି ଅନୁରୋଧକୁ ଅଣଦେଖା କରି ତାଙ୍କୁ ଖିଣ୍ଡା ପଞ୍ଚାୟତରେ ଅବସ୍ଥାପିତ କରେ, ତେବେ ରେଙ୍ଗାଲି ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

