ସୁନ୍ଦରଗଡ ୧୩/୧୨,(ଉତ୍କଳ ସମାଚାର) ଜିଲ୍ଲାର ସୁନ୍ଦରଗଡ଼ ଉପଖଣ୍ଡରେ ୨୦୨୫ ଡିସେମ୍ବର ୨୦ ତାରିଖରେ ଧାନ କ୍ରୟର ଶୁଭାରମ୍ଭ ହେବ ବୋଲି ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ, ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଉପଖଣ୍ଡର ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ଓ ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ ହଜାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ୨୦୨୫-୨୬ ବର୍ଷ ପାଇଁ ଧାନ ସଂଗ୍ରହର ତାଲିମ ଓ ସଚେତନତା ସହିତ ସରକାର କଥା ଦେଇ କଥା ରଖିଲେ ବୋଲି ଡିଣ୍ଡିମ ପିଟୁଛନ୍ତି ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ। ସୁନ୍ଦରଗଡ ସଦର ଓ ତଲସରା ନିର୍ବାଚନ ମଣ୍ଡଳୀର ପ୍ରାୟ ୪ ହଜାର ଚାଷୀ ଧାନ ବିକ୍ରୟ କରିପାରିବେ ନାହିଁ। ଅଞ୍ଚଳରେ ଥିବା ଲ୍ଯାମ୍ପ୍ସଙ୍କ ଅପରିପକ୍ୱତା ଯୋଗୁଁ ନାମ ପଞ୍ଜୀକରଣରୁ ବଞ୍ଚିତ ଥିବା ଚାଷୀ କିପରି ତାଙ୍କ ବଳକା ଧାନ ବିକ୍ରୟ କରିପାରିବେ ଏ ନେଇ ପ୍ରଶ୍ନ ଉଠିଛି। ତେଣୁ ଏ ବିଷୟ ନେଇ ଚାଷୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ ମଧ୍ଯ କୌଣସି ପଦକ୍ଷେପ ନିଆଯାଇନାହିଁ। ଲ୍ଯାମ୍ପ୍ସଗୁଡିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ଅବହେଳା ଯୋଗୁଁ, ସଦର, ତଲସରା ନିର୍ବାଚନ ମଣ୍ଡଳୀର ବହୁ ଚାଷୀ ନିରାଶ ହୋଇଛନ୍ତି। ଏଥିସହିତ ମଧ୍ଯବିତ୍ତ ଚାଷୀ, ଯେଉଁମାନଙ୍କର ୫ରୁ ୧୦ ଏକର ଜମି ରହିଛି, ସେମାନେ ୧୦୦ରୁ ୩୦୦ କ୍ଯୁଇଣ୍ଟାଲ ଧାନ ବିକ୍ରୟ କରୁଥିବା ବେଳେ ସେମାନଙ୍କ ନାମ ମଧ୍ଯ ପଞ୍ଜୀକରଣରୁ ବଞ୍ଚିତ ରହିଛି। ଚାଷୀମାନେ ଲ୍ଯାମ୍ପ୍ସ ଏବଂ କୋଅପରେଟିଭରୁ ଋଣ ନେଇ ଚାଷ କରିଛନ୍ତି। ଏହି ଚାଷୀମାନେ ଯଦି ଲ୍ଯାମ୍ପ୍ସକୁ ଧାନ ବିକ୍ରୟ କରିପାରିବେ ନାହିଁ, ତେବେ ସେମାନେ ଋଣ ପରିଶୋଧ କରିବେ କିପରି ବୋଲି ପ୍ରଶ୍ନ ଉଠୁଛି। ଏହାର ସୁଯୋଗ ନେଇ ଦଲାଲମାନେ ଗାଁ ଗାଁ ବୁଲି ବେଆଇନ ଭାବରେ ଧାନ ସଂଗ୍ରହ କରୁଛନ୍ତି। ଜିଲ୍ଲାର ସବଡେଗା ବ୍ଲକରେ ୪୦୦ ଚାଷୀ ରହିଥିବା ବେଳେ ଟାଙ୍ଗରପାଲ୍ଲୀ ବ୍ଲକ ମହୁଲପାଲିରେ ୭୦୦, ସେହିପରି ସଦର ବ୍ଲକ୍ ବିରବିରାରେ ୩୦୦, ମଝାପଡାରେ ୬୫୫, ଭେଡାବାହାଲରେ ୧୨୦୦ ଚାଷୀ ପଞ୍ଜିକରଣ କରିନଥିବା ଜଣାପଡିଛି। ଏଣୁ ଜିଲ୍ଲାର ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ପ୍ରଶାସନ ଏହି ଲ୍ଯାମ୍ପ୍ସଗୁଡିକରୁ କୈଫିୟତ ତଲବ କରିବାର ଆବଶ୍ଯକତା ରହିଛି। ଜିଲ୍ଲାର ଚାଷୀମାନଙ୍କ ଦାବି ରହିଥିବାବେଳେ ଉପଜିଲ୍ଲାପାଳ ଡିଆରସିଏସଙ୍କ ସହ ଆଲୋଚନା କରି ପଞ୍ଜୀକରଣରୁ ବଞ୍ଚିତ ଥିବା ଚାଷୀମାନଙ୍କୁ କିପରି ଧାନ ସଂଗ୍ରହ କରାଯିବା ପ୍ରତିଶ୍ରୁତି ଦେଇଥିଲେ, ତାହାର ପ୍ରଶ୍ନ ଉଠୁଛି। ତଲସରା ଓ ସଦର ବ୍ଲକ୍ ଚାଷୀମାନଙ୍କ ସହ ସମାଜସେବୀ ଡକ୍ଟର ହିଂମାଶୁ ଷଢଙ୍ଗୀ, ଅଶୋକ ସାଏ, ସଂଗ୍ରାମ ନାୟକଙ୍କ ସମେତ ବହୁ ଚାଷୀ ଏନେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଏଠାରେ ସ୍ମରଣଯୋଗ୍ଯ ଯେ ଗୁରୁବାର ଦିନ ସୁନ୍ଦରଗଡ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ସି.ଏସ୍.ଓ. ଅଜୟ କୁମାର ରଥ, ଡିଆରସିଏସ ପ୍ରିୟାଂଶୀ ବେହେରା, ଅତିରିକ୍ତ ସିଏସ୍ଓ ସୁରେନ୍ଦ୍ର କୁମାର ବାଗ, ବଣାଇଁ ସିନିୟର ଏଆରସିଏସ୍ ଅଜୟ କୁମାର ସେଠି, ପାନପୋଷ ଏଆରସିଏସ୍ ବିକାଶ କୁମାର ସାମଲ, ଏସିଏସ୍ଓ ମନୋଜ କୁମାର ରଥ, ଏସିଏସ୍ଓ ରାମାୟ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।

