କେନ୍ଦୁଝର : ୨୮/୧୨/୨୦୨୫(ଉତ୍କଳ ସମାଚାର): ସମସ୍ତ ପାଖରେ କିଛି ନା କିଛି ଲୁକ୍କାୟିତ ଗୁଣ ବା ପ୍ରତିଭା ରହିଛି। ତେଣୁ ପାଠ ପଢ଼ା ସହିତ ଏହି ଲୁଚି ରହିଥିବା ପ୍ରତିଭାକୁ ଚିହ୍ନି ପାରିଲେ, ଆମେ ଜୀବନରେ ସଫଳ ହୋଇ ପାରିବା ବୋଲି ତେଲକୋଇ ବ୍ଲକର ସିରିଗିଡ଼ାଠାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଭଳି ମତବ୍ୟକ୍ତ କରିଛନ୍ତି। ସୁବର୍ଣ୍ଣ ଜୟନ୍ତୀ ସମାରୋହ ମୁଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ପ୍ରଥମ କାମ ହେଉଛି ମନଦେଇ ପାଠପଢିବା। କେବଳ ପାଠ ପଢିଲେ ହେବ ନାହିଁ। ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ଟେକ୍ନୋଲୋଜି ସହ ତାଳ ଦେଇ ଅପଡେଟ୍ ରହିବା କଥା।। ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ଅନ୍ତନିର୍ହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ସେହି ଅନ୍ତର୍ନିହିତ ପ୍ରତିଭାର ବିକାଶ କଲେ ସଫଳତା ମିଳିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ଲୁକ୍କାୟିତ ହୋଇ ରହିଛି। ସେସବୁ ପରିସ୍ଫୁଟିତ ହେବା ଦରକାର ଏବଂ ଏଥିପାଇଁ ସେମାନଙ୍କୁ ଯଦି ସଠିକ ଭିତ୍ତିଭୂମି, ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ଦିଆଯାଏ, ତେବେ ସେମାନେ ନିଜର ତଥା ସମାଜର ମଙ୍ଗଳ କରିପାରିବେ।ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତ୍ବର ସହିତ ନେଇଛନ୍ତି। ଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ, ଚଳିତ ବଜେଟର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡ଼ିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି । ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ କରିବାରେ ସମର୍ଥ ହୋଇଛନ୍ତି। ଓଡିଶାରେ ମଧ୍ୟ ସବୁ ବିଭାଗରୁ ଶିକ୍ଷା ବିଭାଗରେ ଖର୍ଚ୍ଚ ସବୁଠାରୁ ଅଧିକ, ଏଥିରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରର ଖର୍ଚ୍ଚ ହେଉଛି ସିଙ୍ଘଭାଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ସମାଜସେମୀ ଶ୍ରୀ ଶୁକଦେବ ମହାନ୍ତ, ବିଦ୍ୟାଳୟର ସଭାପତି ଶ୍ରୀ ରାମଚନ୍ଦ୍ର ମହାନ୍ତ, ସଂପାଦକ ଶ୍ରୀ କୈଳାସ ଚନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ବନାଥ ଦେହୁରୀ ଉପସ୍ଥିତ ରହିଥିଲେ।

