ସୁନ୍ଦରଗଡ ୩/୧,(ଉତ୍କଳ ସମାଚାର) ସୁନ୍ଦରଗଡ ଜିଲ୍ଲାର ୭୯ତମ ପ୍ରତିଷ୍ଠା ଦିବସ ଜିଲ୍ଲା ମୁଖ୍ଯାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଇତିହାସର ପରମ୍ପରାକୁ ଆଗରେ ରଖି ଲୋକନୃତ୍ୟରେ ନାଚିଛି ସୁନ୍ଦରଗଡ ସହର। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଦ୍ବିଦିବସୀୟ ପ୍ରତିଷ୍ଠା ଦିବସରେ ସୁନ୍ଦରଗଡର ଇଷ୍ଟଦେବୀ ମାଆ ସମଲେଶ୍ଵରୀ ମନ୍ଦିରରେ ଜାନୁଆରୀ ୧ ତାରିଖ ଦିନ ସକାଳେ ପୂଜାର୍ଚ୍ଚନା ପରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ବିଭାଗ, ସ୍ଥାନୀୟ ଜନସାଧାରଣ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କଳାକାରମାନଙ୍କ ଦ୍ଵାରା ଏକ ମସାଲ ଶୋଭାଯାତ୍ରା ବାଜା ଗାଜା ସହିତ ସୁନ୍ଦରଗଡର ଇଷ୍ଟଦେବୀ ମାଆ ସମଲେଶ୍ଵରୀଙ୍କ ମନ୍ଦିରରୁ ବାହାରି ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ନେତୃତ୍ବରେ ନଗର ପରିକ୍ରମା କରାଯିବା ପରେ ଶେଷରେ ନାରୀକଲ୍ଯାଣ ପଡିଆରେ ମସାଲକୁ ସ୍ଥାପିତ କରାଯାଇଥିଲା। ସହରର ଶ୍ରୀ ଜଗନ୍ନାଥ ମନ୍ଦିର ଛକ ଠାରୁ ଆରମ୍ଭ କରି ରିଜେଣ୍ଟ ମାର୍କେଟ ଛକ, ରଙ୍ଗାଢିପା ଛକ, ହସ୍ପିଟାଲ ଛକ (ଅଟଳ ଛକ), ଡିଆରଡିଏ ଛକ, ରାଉରକେଲା ଛକ, ପଞ୍ଚମୂଖୀ ହନୁମାନ ଛକ, ସୁନ୍ଦରଗଡ ପୌରପାଳିକା ଦେଇ ଗଲା ବେଳେ ମଶାଲକୁ ବେସରକାରୀ ସ୍ବେଛାସେବୀ ଅନୁଷ୍ଠାନମାନଙ୍କ ଦ୍ବାରା ପୁଷ୍ପ ବର୍ଷା କରାଯାଇ ସ୍ବାଗତ କରାଯାଇଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ପାନୀୟ ଜଳ ଏବଂ ବିସ୍କୁଟ ବଣ୍ଟନ କରାଯାଇଥିଲା। ପାରମ୍ପରିକ ପୋଷାକ ପରିଧାନ କରି ଜିଲ୍ଲାପାଳ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ବେଳେ ଜିଲ୍ଲାପାଳଙ୍କ ସହ ଦୁଇ ଅତିରିକ୍ତ ଜିଲ୍ଲାପାଳ, ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର, ଉପଜିଲ୍ଲାପାଳ, ଜିଲ୍ଲା ପରିଷଦ ତଥା ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଶ୍ରୀ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ ଏବଂ ଜିଲ୍ଲା ପ୍ରଶାସନର ଅନ୍ଯାନ୍ଯ ଅଧିକାରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟାରେ ନାରୀକଲ୍ଯାଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ ଏବଂ ରସରକେଲି ଆଦି ନୃତ୍ୟ ପରିବେଷଣ କରାଯାଇଥିଲା। ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମଣିଷପଣିଆ ହିଁ ସୁନ୍ଦରଗଡର ପରିଚୟ। ସୁନ୍ଦରଗଡର ବିକାଶ ଓ ଜନ ମଙ୍ଗଳ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଦ୍ବିତୀୟ ତଥା ଉଦଯାପନୀ ଦିବସ ଶୁକ୍ରବାର ଦିନ, ପ୍ରଥମଥର ପାଇଁ ସ୍ବତନ୍ତ୍ର ଭାବରେ ପାଳନ କରିବାକୁ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ସୁନ୍ଦରଗଡ ନାଗରିକ ସମୂହଙ୍କ ସହଯୋଗ ଲୋଡିଥିଲେ। ଆୟୋଜକ କମିଟି ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ସୁନ୍ଦର ଆୟୋଜନ କରାଯାଇଥିଲା। ଏଥିପାଇଁ ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ (ରାଜସ୍ବ), ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଉପଜିଲ୍ଲାପାଳ ତେଜସ୍ଵିନୀ ବେହେରା, ଆଇଏଏସ୍ ଶିକ୍ଷାନବୀଶ ଫାବିନ୍ଦର ସିଂହ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧୀରେନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ପୌର ନିର୍ବାହୀ ଅଧିକାରୀ ବିକାଶ ମୁଣ୍ଡାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାରେ ଜୟ କିଶନ ନୃତ୍ୟ ଦଳ ଏବଂ ନେକଷ୍ଟ ଷ୍ଟାର ଏକାଡେମୀ ପକ୍ଷରୁ ସମ୍ବଲପୁରୀ ଜିଲ୍ଲା ଲୋକ କଳା, ଗବେଷଣା ଓ ତାଲିମ କେନ୍ଦ୍ର ପକ୍ଷରୁ ଆଦିବାସୀ ନୃତ୍ୟ, ନଟରାଜ କଳା ପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଲୋକପ୍ରିୟ ସମ୍ବଲପୁରୀ ଷ୍ଟାର ଉମାକାନ୍ତ ବାରିକଙ୍କ ଗୀତରେ ଦର୍ଶକ ରାତିସାରା ଝୁମୀ ନୃତ୍ୟ କରିଥିଲେ।

