ରାଉରକେଲା ୨୩/୧,(ଉତ୍କଳ ସମାଚାର) ବେଦବ୍ୟାସ ସରସ୍ୱତୀ ମନ୍ଦିରରେ ମାତାଙ୍କ ପୂଜାର୍ଚ୍ଚନା କରିଥିଲେ ଭକ୍ତ। ବେଦବ୍ୟାସ ତ୍ରିବେଣୀ ସଙ୍ଗମରେ ସରସ୍ୱତୀ କୁଣ୍ଡ ନିକଟସ୍ଥ ମାତା ସରସ୍ୱତୀ ମନ୍ଦିରରେ ସରସ୍ୱତୀ ପୂଜା ପାଇଁ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିରର ପୂଜକ ଗୋପାଳ ମିଶ୍ର ଏବଂ ପୂଜକ ରୀତିନୀତି ଅନୁଯାୟୀ ମାତା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିବା ସହ ଏଥିପାଇଁ ମାତା ସରସ୍ୱତୀଙ୍କ ପୂଜା ପାଇଁ ମାତାଙ୍କ ମନ୍ଦିରକୁ ସଜାଯାଇଥିଲା। ମାତାଙ୍କୁ ଫୁଲରେ ସଜ୍ଜିତ କରାଯିବା ସହ ସକାଳରୁ ଶହ ଶହ ଭକ୍ତ ପୂଜା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ରହିଥିଲା। ମନ୍ଦିର ସମ୍ମୁଖରେ ଭକ୍ତମାନଙ୍କ ଦ୍ୱାରା ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା। ମାତାଙ୍କ ପାଦ ସମ୍ମୁଖରେ ନୂତନ ସ୍ଲେଟ୍, କପି ଏବଂ ପେନସିଲ୍ ଅର୍ପଣ କରିବା ପରେ ଛୋଟ ପିଲାମାନେ ମାତା ସରସ୍ୱତୀଙ୍କୁ ପୁଷ୍ପାଞ୍ଜଳୀ ଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ। ସେହିପରି ସରସ୍ୱତୀ ପୂଜା ପାଇଁ ଆଜି ବେଦବ୍ୟାସ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ରାଉରକେଲା ସହରର ବିଭିନ୍ନ ସ୍କୁଲ, କଲେଜ, କ୍ଲବ ଏବଂ ସାମାଜିକ ସଂଗଠନ ସରସ୍ୱତୀ ପୂଜାରେ ମାତା ସରସ୍ୱତୀଙ୍କୁ ପୂଜା କରିଥିଲେ। ଏଥିସହ ବହୁ କୋଚିଂ ସେଣ୍ଟରରେ ଆଜି ମାତା ସରସ୍ୱତୀଙ୍କ ପୂଜା ସହିତ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

