ରାଉରକେଲା ୨୩/୧,(ଉତ୍କଳ ସମାଚାର) ସାମାଜିକ ଅନୁଷ୍ଠାନ ସେବା ସେତୁ ହେଲପିଂ ହ୍ୟାଣ୍ଡ ତରଫରୁ ପ୍ରଥମ ଥର ପାଇଁ ରାଉରକେଲା ମୁଖ୍ଯ ମାର୍ଗର ଉଦିତନଗର ସ୍ଥିତ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସମ୍ମୁଖରେ ଏକ ନିଃଶୁଳ୍କ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ହିମାଂଶୁ ଶେଖର ନାୟକ ଓ ସମ୍ପାଦକ ଆଇନଜୀବୀ ଅଙ୍କିତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଉତ୍ସାହୀ ଯୁବକ ଯୋଗଦେଇ ରକ୍ତଦାନ କରିଥିଲେ। ଏସମ୍ପର୍କରେ ସଭାପତି ଶ୍ରୀ ନାୟକ ଓ ସମ୍ପାଦକ ଶ୍ରୀ ଅଗ୍ରୱାଲ ସୂଚନାଦେଇ କହିଛନ୍ତି ଯେ ଏହିଭଳି ସାମାଜିକ କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ ରାସ୍ତା କଡ଼ରେ ତଥା ବିଭିନ୍ନ ସ୍ଥାନରେ ଡ୍ରଗ୍ସ ସେବନକାରୀଙ୍କୁ ଚିହ୍ନଟ କରି ମେଡିକାଲରେ ଚିକିତ୍ସିତ କରାଯିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା, ଆବଶ୍ୟକ ସ୍ଥଳେ ପୁନଃ ଥଇଥାନ କେନ୍ଦ୍ରରେ ରଖିବା, ସଠିକ ମାର୍ଗଦର୍ଶନ ଦେବା ଆଦି ସାମାଜିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଇଛି। ତେବେ ଗୁରୁବାର ଦିନ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଅଭିଷେକ ପ୍ରଜାପତି,ପ୍ରିନ୍ସ ପ୍ରଜାପତି, ମନନ ଅଗ୍ରୱାଲ,ବିନୟ ପ୍ରଜାପତି ଓ ରାଉରକେଲା ସରକାରୀ ଡାକ୍ତରଖାନା ରକ୍ତଭଣ୍ଡାରର ଡାକ୍ତର ଏମ୍ ସୋରେନ, କାଉନସିଲର ସୁରଜ କୁମାର ସାହୁ, ଚୈତନ୍ୟ କୁମାର ମହନ୍ତ ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନ ତରଫରୁ ଏଥିପାଇଁ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ପ୍ରଶାସନିକ ଅଧିକାରୀ, ରକ୍ତଦାତା ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

