ରାଉରକେଲା:29//1,(ଉତ୍କଳ ସମାଚାର) ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ନିର୍ମଳ ମୁଣ୍ଡା ନଗର ଶାଖା ଓ ଗୋପବନ୍ଧୁ ପାଠାଗାର ର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ତଥା ବନ୍ଦେ ମାତରଂ ୧୫୦ ଆଲୋଚନାଚକ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀଙ୍କ ସଭାପତିତ୍ବ ଓ ଉପସଭାପତି ଅଜୟ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟଅତିଥି ଭାବେ ରାଉରକେଲା ର ଅଧ୍ୟକ୍ଷ ଡ ରବିନ୍ଦ୍ର କୁମାର ଜେନା, ବିଷୟ ବିଶେଷଜ୍ଞ ଭାବେ ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ ଉମାକାନ୍ତ ପଣ୍ଡା ‘ବନ୍ଦେ ମାତରଂ ୧୫୦’ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ଓ ଆଲୋଚକ ଦ୍ବୟ ସେମାନଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ ଶବ୍ଦର ଉତ୍ପତ୍ତି, ଏହାର ଇତିବୃତି, ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଅବଦାନ, ମାତୃଭାଷା, ମାତୃଭୂମିର ଋଣ ଓ ପଞ୍ଚ ପରିବର୍ତ୍ତନ ଯଥା ସାମାଜିକ ସମରତା, ପର୍ଯ୍ୟାବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସ୍ବ-ଆଧାରିତ ଜୀବନ ଓ ନାଗରିକ କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ନଗରପାଳକ ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର ପ୍ରାକକଥନ ରଖିଥିଲେ। ସଭାପତି ପ୍ର.ଗୋସ୍ବାମୀ ଆଲୋଚ୍ୟ ପ୍ରସଙ୍ଗର ଆଭିମୁଖ୍ୟ ଓ ଆଲୋଚନାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପାଠାଗାର ସମ୍ପାଦକ ବିଶ୍ବନାଥ ଜେନା ସ୍ବାଗତ ଭାଷଣ ଓ ସାଧାରଣ ସମ୍ପାଦକ ହରିହର ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସଭ୍ୟ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶାଖାର କର୍ମକର୍ତ୍ତା, ସାହିତ୍ୟିକ,କବି ବନ୍ଧୁ ମାନେ ଉପସ୍ଥିତ ଥିଲେ।

