ରାଉରକେଲା,୧୬/୧,(ଉତ୍କଳ ସମାଚାର): ଆଗାମୀ ଫେବୃଆରୀ ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ବିଜୁଳି ଦର ବୃଦ୍ଧି କରିବା ପାଇଁ ଓ ଇ ଆର୍ ସି ପକ୍ଷରୁ ସମ୍ବଲପୁର ଠାରେ ଜନଶୁଣାଣି ହେବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଏହାକୁ ଜୋରଦାର ବିରୋଧ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥି ନିମନ୍ତେ ରାଉରକେଲା ର ସମସ୍ତ ଅଂଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନେଇ ଛେଣ୍ଡ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଦ୍ୟୁତ ଉପଭୋକ୍ତା ସୁରକ୍ଷା ମଞ୍ଚ ଗଠନ କରାଯାଇଛି। ମଞ୍ଚ ର ଏହି ପ୍ରାରମ୍ଭିକ ବୈଠକ ରେ ସଭାପତିତ୍ବ କରିଥିଲେ ସହରର ଜଣାଶୁଣା ସମାଜସେବୀ ସଞ୍ଜୀବ ମହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ ଉପଭୋକ୍ତା ସୁରକ୍ଷା ମଞ୍ଚ ର ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଆବାହକ ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଯୋଗଦେଇ ଓଡ଼ିଶାରେ ବିଦ୍ୟୁତ ବିଭାଗ କୁ ସରକାର ଘରୋଇକରଣ କଲାବେଳେ ନିରନ୍ତର, ଗୁଣାତ୍ମକ ବିଦ୍ୟୁତ ସେବା ଘରୋଇକରଣ ପରେ ସାଧାରଣ ଉପଭୋକ୍ତା ଙ୍କୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା କଥା ମନେପକାଇ କହିଥିଲେ ଯେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ବିଦ୍ୟୁତ ସେବାକୁ ତତ୍କାଳୀନ ସରକାର ଘରୋଇ କମ୍ପାନୀ କୁ ଟେକି ଦେଇଥିଲେ। ଏହି ଘରୋଇ କମ୍ପାନୀ ବିଦ୍ୟୁତ ବିତରଣ ହାତକୁ ନେବାପରେ ଓ ଏସ ଇ ବି ସମୟରେ ଯାହା ଭିତ୍ତିଭୂମି ଛାଡ଼ି ଯାଇଥିଲେ ସେଥିରେ ଅଧିକ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନ କରି କେବଳ ଖାଉଟି ମାନଙ୍କ ଉପରେ କିଭଳି ଅଧିକ ଶୁଳ୍କ ଲଗାଯିବ ସେ ବ୍ୟବସ୍ଥା କରିଛନ୍ତି। ଟାଟା ପାୱାର କମ୍ପାନୀ ହାତକୁ ବିତରକ ବ୍ୟବସ୍ଥା ଗଲାପରେ ଏ ଜୁଲମ ଅଧିକ ହୋଇଛି। କେତେ ବେଳେ ସ୍ମାର୍ଟ୍ ମିଟର ବସାଇବାକୁ ନେଇ ତ ଆଉ କେତେବେଳେ ମାସିକ ମିଟର ରିଡିଙ୍ଗ ରେ ଜାଣିଶୁଣି ସ୍ଲାବ୍ କୁ ବଢାଇ ସାଧାରଣ ଉପଭୋକ୍ତା ଙ୍କୁ ଲୁଟ୍ କରାଯାଉଛି। ପ୍ରତି ସପ୍ତାହରେ ରକ୍ଷଣାବେକ୍ଷଣ ନାମରେ ୬/୭ ଘଣ୍ଟା ବିଜୁଳି କାଟ ହେଉଛି। ଗୁଣାତ୍ମକ ଓ ନିରନ୍ତର ସେବା ଯୋଗାଇଦେବାର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ମଧ୍ୟରେ ସୀମିତ ରହିଛି। ବର୍ତମାନ ଫେବୃଆରୀ ୧୯ ତାରିଖ ରେ ଓ ଇ ଆର୍ ସି ଜନଶୁଣାଣି ସମ୍ବଲପୁର ଠାରେ କରି ବିଦ୍ୟୁତ ଦର ବଢ଼ାଇବାକୁ ଯାଉଛି। ଏହାକୁ ଜୋରଦାର ବିରୋଧ କରିବା ପାଇଁ ସମସ୍ତ ସାଧାରଣ ଉପଭୋକ୍ତା ଙ୍କୁ ଏକତ୍ରିତ କରିବା କୁ ଶ୍ରୀ ମହାନ୍ତି ଆହ୍ୱାନ କରିଥିଲେ।

ଏହି ବୈଠକରେ ବିଶିଷ୍ଟ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ,ଓ ଏସ ଇ ବି ଏମ୍ପୋଇଜ ୟୁନିୟନର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ରାଉରକେଲା ର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ସଂଗଠିତ କରିବା ସହିତ ବ୍ୟାପକ ଆନ୍ଦୋଳନ ଉପରେ ଗୁରୁତ୍ବ ଦେଇଥିଲେ। ଶ୍ରମିକ ନେତା ଶ୍ରୀମନ୍ତ ବେହେରା, ତ୍ରିଲୋଚନ ପରିଡ଼ା, ସୁରେନ୍ଦ୍ର ଦାଶ,ଏସ ଏନ୍ ପଣ୍ଡା, ଆଇନଜୀବୀ ରାଜ କିଶୋର ପ୍ରଧାନ, ଚନ୍ଦ୍ରଭାନୁ ଦାସ, ସୁକାନ୍ତ କୁମାର ଖୁଣ୍ଟିଆ, ବିମାନ ମାଇତି,ବିଜୟ କୁମାର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ପ୍ରସ୍ତାବିତ ଜନଶୁଣାଣି କୁ ମଞ୍ଚ ପକ୍ଷରୁ ବିରୋଧ କରାଯିବା ସହିତ ଉକ୍ତ ଦିନ ରାଉରକେଲା ଟାଟା ପାୱାର ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ ପାଇଁ ପ୍ରସ୍ତାବ ରଖିଥିଲେ। ଶେଷରେ ବୈଠକ ର ନିଷ୍ପତ୍ତି ଅନୁଯାୟୀ ଫେବୃୟାରୀ ୧୯ ତାରିଖ ଦିନ ମଞ୍ଚ ପକ୍ଷରୁ ବିଦ୍ୟୁତ ଦରବୃଦ୍ଧି ନେଇ ଓ ଇ ଆର୍ ସି ର ସମ୍ବଲପୁର ଠାରେ ପ୍ରସ୍ତାବିତ ଜନଶୁଣାଣି ଜୋରଦାର ବିରୋଧ କରାଯିବା ସହିତ ରାଉରକେଲା ସ୍ଥିତ ଟାଟା ପାୱାର ଏସ ଇ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ସ୍ମାରକ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଉପଭୋକ୍ତା ମାନଙ୍କୁ ସଂଗଠିତ କରିବା ପାଇଁ ବ୍ୟାପକ ପ୍ରଚାରପତ୍ର ବଣ୍ଟନ ଓ ମାଇକ ପ୍ରଚାର ଓ ବିଭିନ୍ନ ସ୍ଥାନରେ ସଭା କରିବାକୁ ନିଷ୍ପତ୍ତି ହୋଇଛି।
ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ହୃଦୟାନନ୍ଦ ଯାଦବ, ବିଶ୍ଵଜିତ ମାଝୀ, ସଚିନ୍ ରାୟ, ଏନ୍ କେ ରାଉତରାୟ,ରାଜୀବ ବସନ୍ତ ରାୟ,ପ୍ରମୋଦ ପରିଡ଼ା,ନନ୍ଦନ ପାତ୍ର, ଏନ୍ ଏନ୍ ସାମନ୍ତରାୟ,ଜି କେ ରାୟ, ଜି ବି ଜେନା ପ୍ରମୁଖ ବିଦ୍ୟୁତ ଉପଭୋକ୍ତା ମାନେ ଉପସ୍ଥିତ ରହି ଆନ୍ଦୋଳନ ପାଇଁ ଅଧିକରୁ ଅଧିକ ଉପଭୋକ୍ତା ଙ୍କୁ ସାମିଲ କରିବାକୁ ପ୍ରସ୍ତାବ ରଖିଥିଲେ।
