୧,୪୯,୨୩୧ ଜଣ କୃଷକଙ୍କୁ ୨୯ କୋଟି ୮୪ ଲକ୍ଷ ୬୨ ହଜାର ଟଙ୍କାର ଆର୍ଥିକ ସହାୟତା
ନବରଙ୍ଗପୁର, ୪/୯(ଉତ୍କଳ ସମାଚାର): ନବରଙ୍ଗପୁର ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ କିଷାନ’ ଯୋଜନାର ୫ମ କିସ୍ତି କୃଷକ ସହାୟତା ରାଶି ବଣ୍ଟନ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ ଯୋଗଦେଇ କୃଷକମାନଙ୍କ କଲ୍ୟାଣ ଓ କୃଷି କ୍ଷେତ୍ରର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ୍ ବର୍ମନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରବାନ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ଶଶାଙ୍କ ଲେଙ୍କା, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ଶ୍ରୀ ଚିନ୍ତାମଣି ବେହେରା, ସମବାୟ ସମିତି ଉପନିବନ୍ଧକଙ୍କ ସମେତ କୃଷି, ସମବାୟ ଓ ସମ୍ପୃକ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ପ୍ରାୟ ୧୫୦ ଜଣ କୃଷକ ଯୋଗଦେଇଥିଲେ। ଏହି ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ କିଷାନ’ ଯୋଜନାର ୫ମ କିସ୍ତି ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମକୁ ଉପସ୍ଥିତ କୃଷକ ଓ ଅଧିକାରୀମାନେ ଦେଖିଥିଲେ। ନବରଙ୍ଗପୁର ଜିଲ୍ଲାରେ ଏହି ୫ମ କିସ୍ତି ଅନ୍ତର୍ଗତ ୧,୪୯,୨୩୧ ଜଣ କୃଷକଙ୍କୁ ମୋଟ ୨୯,୮୪,୬୨,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଆର୍ଥିକ ସହାୟତା କୃଷକମାନଙ୍କୁ କୃଷି କାର୍ଯ୍ୟରେ ଆବଶ୍ୟକୀୟ ଖର୍ଚ୍ଚ ପରିଚାଳନା, କୃଷି ଉତ୍ପାଦନ ବୃଦ୍ଧି ଏବଂ ଜୀବିକାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।
ଏହି ଅବସରରେ ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ କହିଥିଲେ ଯେ, ରାଜ୍ୟ ସରକାର କୃଷକଙ୍କ ଆର୍ଥିକ ସଶକ୍ତିକରଣ, କୃଷି ଉତ୍ପାଦନ ବୃଦ୍ଧି ଓ କୃଷିକୁ ଅଧିକ ଲାଭଜନକ କରିବା ଦିଗରେ ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ‘ମୁଖ୍ୟମନ୍ତ୍ରୀ କିଷାନ’ ଯୋଜନା ମାଧ୍ୟମରେ ମିଳୁଥିବା ଆର୍ଥିକ ସହାୟତା ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ଅଧିକ ସକ୍ଷମ କରିବା ସହ ସେମାନଙ୍କ ଆୟ ଓ ଜୀବିକାର ସୁଦୃଢ଼ୀକରଣରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ। ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ କୃଷକମାନଙ୍କ ନିକଟରେ ସରକାରୀ କୃଷକ କଲ୍ୟାଣ ଯୋଜନାଗୁଡ଼ିକର ସୁଫଳ ସ୍ୱଚ୍ଛ, ସରଳ ଓ ଦକ୍ଷ ପ୍ରକ୍ରିୟାରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଯୋଗ୍ୟ ହିତାଧିକାରୀମାନେ ଯେପରି ଯୋଜନାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ସହ କୃଷକମାନଙ୍କୁ ଯୋଜନା ସମ୍ପର୍କରେ ନିୟମିତ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, କୃଷକମାନଙ୍କ ଆର୍ଥିକ ସୁରକ୍ଷା ସହ କୃଷି କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି, ଉନ୍ନତ କୃଷି ପଦ୍ଧତି, ଫସଲ ବିବିଧୀକରଣ ଓ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଦିଗରେ ବିଭାଗ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି। ଯୋଜନାର ସୁଫଳ ଯୋଗ୍ୟ କୃଷକଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କୁ ଆବଶ୍ୟକ କୃଷି ପରାମର୍ଶ ଓ ବୈଷୟିକ ସହଯୋଗ ଯୋଗାଇ ଦିଆଯାଉଛି। କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକମାନେ ‘ମୁଖ୍ୟମନ୍ତ୍ରୀ କିଷାନ’ ଯୋଜନା ମାଧ୍ୟମରେ ମିଳୁଥିବା ସହାୟତା ପାଇଁ ଆନନ୍ଦ ପ୍ରକାଶ କରିବା ସହ କୃଷକଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ସମନ୍ୱିତ ପ୍ରୟାସ ମାଧ୍ୟମରେ ‘ମୁଖ୍ୟମନ୍ତ୍ରୀ କିଷାନ’ ଯୋଜନାର ସୁଫଳ ଜିଲ୍ଲାର ଅଧିକରୁ ଅଧିକ ଯୋଗ୍ୟ କୃଷକଙ୍କ ନିକଟରେ ପହଞ୍ଚାଇବା ଏବଂ କୃଷକମାନଙ୍କ ସାମଗ୍ରିକ ଆର୍ଥିକ ଓ ସାମାଜିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି।
