ରାଉରକେଲା:17//2,(ଉତ୍କଳ ସମାଚାର)ରାଉରକେଲା ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ବସନ୍ତ ଉତ୍ସବ ତଥା ବାର୍ଷିକ ଉତ୍ସବ ଶନିବାର ମହାବିଦ୍ୟାଳୟ ପରିସରରେ ଉଦ୍ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଶିକ୍ଷାବୀତ୍ ତଥା ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ବର ରାଓ ଯୋଗଦେଇଥିଲେ । ଜଣେ ଛାତ୍ର ନିଜର ଲକ୍ଷକୁ ନିଶ୍ଚିତ କରି କାର୍ଯ୍ୟ କଲେ ସଫଳତା ନିଶ୍ଚିତ ପାଇବ ବୋଲି ପ୍ରଫେସର ରାଓ କହିଥିଲେ। ଏକ ଗରିବ ପରିବାରରେ ଜନ୍ମ ହୋଇ ଅନେକ ଘାତ ପ୍ରତିଘାତ ମଧ୍ୟରେ ସେ ପାଇଥିବା ସଫଳତା ସମ୍ପର୍କରେ ପ୍ରଫେସର ରାଓ ସୂଚନା ଦେଇଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଆର୍ଏସପି ଅଧିକାରୀ ତଥା ସଙ୍ଗଠକ ଇଂ ପ୍ରତାପ କୁମାର ସ୍ବାଇଁ ଯୋଗଦେଇ ସମସ୍ୟା ଓ ପ୍ରତିକୂଳ ସ୍ଥିତିରେ ସଫଳତା ପାଇବା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଅଧ୍ୟକ୍ଷା ଡ. ସାମଲ ମହାବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଡ୍ରାମାଟିକ ସମିତିର ଉପାଧ୍ୟକ୍ଷା ରାମେଶ୍ୱରୀ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ନମିତା ସ୍ବାଇଁ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ଅଧ୍ୟାପିକା ତଥା ଛାତ୍ର ସଂସଦର ଉପଦେଷ୍ଟା ମେରି ଇ. କେ. ନାଗ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ବିବରଣି ଉପସ୍ଥାପନ କରିଥିଲେ।ହି ଅବସରରେ ପୂର୍ବରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ସୃଜନାତ୍ମକ ପ୍ରତିଯୋଗିତା ସମେତ ୨୦୨୪-୨୦୨୫ ଶିକ୍ଷା ବର୍ଷରେ ଯୁକ୍ତ-ଦୁଇ, ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ଉତ୍କର୍ଷ ହାସଲ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ୩୪ଟି ବିଭିନ୍ନ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ବର୍ଗରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସହିତ ମ୍ୟାଜିକ ସୋ, ସାମାଜିକ ପ୍ରସଙ୍ଗଭିତ୍ତିକ କ୍ଷୁଦ୍ର ନାଟକ ଆଦି ପରିବେଷିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ।

