ରାଉରକେଲା, ୧୭/୨: ପର୍ବପର୍ବାଣୀ ସମୟରେ ଜଙ୍ଗଲୀ ପଶୁମାନଙ୍କ ଶୀକାରକୁ ଦୃଷ୍ଟିରେ ରଖି ରାଉରକେଲା ବନଖଣ୍ଡ ପକ୍ଷରୁ ନଜର ରଖାଯାଇଥିଲା। ବନ ବିଭାଗ ପକ୍ଷରୁ ଲଗା ଯାଇଥିବା କ୍ଯାମେରା ପରିଗଣନାରୁ ଜଣାଯାଏ ଯେ, ରାଉରକେଲା ବନଖଣ୍ଡ ଅଞ୍ଚଳରେ ୨୭ଟି ବଣ୍ଯ ଜନ୍ତୁ ବା ବାରହା ରହିଛନ୍ତି। ସାଧାରଣତଃ ଶିବରାତ୍ରି ସମୟରେ ଗାଁ ଲୋକମାନେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥାନ୍ତି। ଏହାକୁ ନଜରରେ ରଖି ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା। ନଜର ରଖିବା ପରେ ଜଣାଯାଇଥିଲା ଯେ କଂସର ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇ ଜଙ୍ଗଲୀ ବାରାହା ଶିକାର କରିଛନ୍ତି। ରାଉରକେଲା ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ କଂସର ଗ୍ରାମର ଫତେ ସିଂଙ୍କ ଘରେ ଖାନତଲାସ କରାଯାଇଥିଲା। ଫତେ ସିଂଙ୍କ ଘରେ ବାରାହାର ମାଂସ ଓ ଚମଡା ରଖାଯାଇଥିବାର ଜଣାପଡିବା ପରେ, ତାଙ୍କୁ ବନ ବିଭାଗ ପକ୍ଷରୁ ହେପାଜତକୁ ନିଆଯାଇଥିଲା। ଫତେ ସିଂଙ୍କୁ ପଚରାଉଚରା କରିବା ପରେ ଅନ୍ଯ ୪ ଜଣଙ୍କୁ ହେପାଜତକୁ ନିଆଯାଇଥିଲା । ସେମାନେ ସ୍ବୀକାର କରିଥିଲେ ଯେ ପାଖରେ ଥିବା ସୋନାପର୍ବତ ଅଞ୍ଚଳରୁ ସେମାନେ ବାରାହାଃ ଶିକାର କରିଛନ୍ତି। ସମସ୍ତ ୫ ଅଭିଯୁକ୍ତ ହେଲେ ଫତେ ସିଂ, ପଙ୍କଜ କୁମାର ସିଂ, ବିତନ ସିଂ, ଦୁଃଖବନ୍ଧୁ ସିଂ ଏବଂ ପ୍ରଦୀପ ସିଂ। ସମସ୍ତ ଅଭିଯୁକ୍ତ କଂସର ଗ୍ରାମର ହୋଇଥିଲା ବେଳେ ସେମାନଙ୍କ ନିକଟରୁ ଶିକାରରେ ବ୍ଯବହୃତ ଜାଲ, ମାଂସ କାଟିବା ପାଇଁ ବ୍ଯବହୃତ ଅସ୍ତ୍ର, ମାଂସ ଓ ଚମଡାକୁ ଜବତ କରାଯିବା ସହିତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ରାଉରକେଲା ବନଖଣ୍ଡ କାର୍ଯ୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି।
ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଓ୍ବାଇଲ୍ଡ ଲାଇଫ୍ ଆକ୍ଟରେ ସେକ୍ସନ ୯, ୩୯(ବି), ୩୯(ଡି) ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଅଧିକ ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଡିଏଫଓ ଯଶୋବନ୍ତ ସେଠି।

