ସମ୍ବଲପୁର,୧୮/୦୨(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ମହାନଦୀ ପୋଲ ଉପରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବୁର୍ଲା ଅଞ୍ଚଳର ଅଞ୍ଜୁ କୁମ୍ଭାର ନାମକ ଜଣେ ମହିଳା ହଠାତ୍ ସେତୁ ଉପରୁ ନଦୀକୁ ଡେଇଁ ପଡ଼ି ନିଜ ଜୀବନ ହାରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅଞ୍ଜୁ ସେତୁ ଉପରକୁ ଚଢ଼ିବା ସମୟରେ ସେଠାରେ ଯାଉଥିବା କିଛି ଲୋକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ କାହା କଥା ନଶୁଣି, କାହା ସହ ଫୋନରେ କଥା ହେଉଥିବା ଅବସ୍ଥାରେ ତଳକୁ ଡେଇଁ ପଡ଼ିଥିଲେ। ଖବର ପାଇ ବୁର୍ଲା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ସୁଦ୍ଧା, ଫୋନ୍ କଲ୍ ଏବଂ ପାରିବାରିକ କଳହକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

