ରାଉରକେଲା ୬/୪(ଉତ୍କଳ ସମାଚାର):, ଆଜି ରାଉରକେଲା ରିଙ୍ଗ୍ ରୋଡ୍ ସ୍ଥିତ ଡିଏଭି ଛକ ଏବଂ ଡିଏଭି ପୋଖରୀ ମଧ୍ଯରେ ଜଣେ ୨୬ ବର୍ଷୀୟ ଯୁବତୀର ହାଇଓ୍ବା ଧକ୍କାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଦୁର୍ଘଟଣାରେ ମୃତ ଯୁବତୀଙ୍କ ପରିବାର ଏବଂ ସମ୍ପର୍କୀୟମାନେ କ୍ଷତିପୂରଣ ଦାବିକରି ଉଦିତନଗର ଥାନା ଘେରାଉ କରିବା ସହ ଧାରଣାରେ ବସିଥିଲେ।

ସୂଚନା ଅନୁସାରେ ରାଉରକେଲା ସେକ୍ଟର-୬ ଜାମଟୋଲି ବସ୍ତିରେ ବାପା ଓ ମାଆଙ୍କ ସହିତ ରହୁଥିବା ପୂଜା ନାୟକ (୨୬ ବର୍ଷ) ଆଜି ସକାଳେ ଏକ ସାଇକେଲ ଯୋଗେ ସେକ୍ଟର-୬ ଜାମଟୋଲି ବସ୍ତିରୁ ବାହାରି ରିଙ୍ଗ୍ ରୋଡ୍ ଦେଇ ବାଲୁଘାଟ ସ୍ଥିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରକୁ କାମ କରିବା ପାଇଁ ଯାଇଥିଲେ। ରିଙ୍ଗ୍ ରୋଡର ଡିଏଭି ଛକ ପାର୍ ହୋଇ ଆଗକୁ ଯାଉଥିବା ସମୟରେ, ତାଙ୍କୁ ପଛପଟରୁ ଓଡି ୧୪ ଏଏଚ୍ ୮୮୩୮ ହାଇଓ୍ବା ଗାଡିଟି ଧକ୍କା ଦେଇଥିଲା। ହାଇଓ୍ବା ଧକ୍କାରେ ଯୁବତୀ ପୂଜା ନାୟକ ତଳେ ପଡିଯିବା ସହ ତାଙ୍କ ମୁଣ୍ଡ ଓ ନାକରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପୂଜା ନାୟକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ପୂଜା ନାୟକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରୀରକୁ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ ହାଉସରେ ରଖାଯାଇଛି। ଶବ ବ୍ୟବଚ୍ଛେଦ ହେବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଉଦିତନଗର ଥାନା ପକ୍ଷରୁ ହାଇଓ୍ବାକୁ ଜବତ କରାଯିବା ସହ ହାଇଓ୍ବା ଡ୍ରାଇଭରକୁ ଗିରଫ୍ କରିଛି।
ମୃତ ଯୁବତୀ ପୂଜା ନାୟକଙ୍କ ଦୁର୍ଘଟଣା ଖବର ପାଇବା ପରେ, ତାଙ୍କ ମାତା ଅନୀତା ନାୟକ, ବାପା କୁଞ୍ଜନ ନାୟକ, ବଡ ଭଉଣୀ ସରୀତା ନାୟକଙ୍କ ସମେତ ବହୁ ସମ୍ପର୍କୀୟ ଏବଂ ପଡୋଶୀ ଉଦିତନଗର ଥାନାରେ ପହଞ୍ଚି କ୍ଷତିପୂରଣ ଦେବାକୁ ଜିଦ୍ କରି ପାଟିତୁଣ୍ଡ କରି ଥାନା ଘେରାଉ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଦୁର୍ଘଟଣାରେ ମୃତ ପୂଜା ନାୟକ (୨୬) ସେକ୍ଟର-୨୧ ସ୍ଥିତ ନନ୍ଦପଦା ବିଜୟ ନାୟକଙ୍କୁ ବିବାହ କରିଥିଲେ। ପାରିବାରିକ ବିଶୃଙ୍ଖଳା ଓ କୌଣସି ମାମଲାରେ ଅଭିଯୁକ୍ତ ହୋଇ ସ୍ବାମୀ ବିଜୟ ନାୟକ ରାଉରକେଲା ଜେଲରେ ଅଛନ୍ତି। ତେଣୁ ମୃତ ପୂଜା ନାୟକ ନିଜ ବାପଘର ସେକ୍ଟର-୬ ସ୍ଥିତ ଜାମଟୋଲି ବସ୍ତିରେ ରହୁଥିଲେ। ହାଇଓ୍ବା ଦୁର୍ଘଟଣାରେ ମୃତ ପୂଜା ନାୟକଙ୍କ ପରିବାର ପକ୍ଷରୁ ଉଦିତନଗର ଥାନାରେ ଏତାଲା ଦିଆଯିବା ପରେ ଉଦିତନଗର ପୋଲିସ ହାଇଓ୍ବା ମାଲିକଙ୍କୁ ଡକାଯାଇଛି
ହାଇଓ୍ବା ଗାଡି ଏବଂ ହାଇଓ୍ବା ଡ୍ରାଇଭରକୁ ଉଦିତନଗର ଥାନାରେ ରଖାଯାଇଥିବା ବେଳେ, ହାଇଓ୍ବା ଦୁର୍ଘଟଣାରେ ମୃତ ପୂଜା ନାୟକଙ୍କ ସମ୍ପର୍କୀୟମାନେ ହାଇଓ୍ବା ଡ୍ରାଇଭରକୁ ବୋଲେରୋରେ ଛାଡି ଦିଆଯାଉଛି ବୋଲି ଅଭିଯୋଗ କରି ଉଦିତନଗର ଥାନା ଗେଟ୍ ସମ୍ମୁଖରେ ବୋଲେରୋକୁ ଅଟକାଇବା ସହିତ ବୋଲେରୋ କାଚକୁ ବାଡେଇଥିଲେ ଏବଂ ପୋଲିସ୍ ସହିତ ପାଟିତୁଣ୍ଡ କରିଥିଲେ। ପୋଲିସ ପକ୍ଷରୁ ଏ ନେଇ ସେମାନଙ୍କୁ ହାଇଓ୍ବା ଡ୍ରାଇଭରକୁ ଦେଖାଇ ସ୍ପଷ୍ଟିକରଣ ଦେବାପରେ ଅବସ୍ଥା ଶାନ୍ତ ପଡିଥିଲା।
