ରାଉରକେଲା/କଟକ, ୭/୪(ଉତ୍କଳ ସମାଚାର):: ୧୯୭୬ ମସିହାରେ ଓଡିଶା ପୋଲିସ ବେତାର ବିଭାଗରେ ଯୋଗ ଦେଇଥିବା ଅଫିସରମାନଙ୍କର ପଚାଶ ବର୍ଷ ପୂର୍ତ୍ତି ଉତ୍ସବ କଟକର ମହାନଦୀକୂଳସ୍ଥ ଚହଟାଘାଟସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଭ୍ଯମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ। ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସଭ୍ଯମାନେ ସପତ୍ନୀକ ଉପସ୍ଥିତ ରହି ଅତୀତର ସ୍ମୃତିଚାରଣ କରିବା ସହିତ ଦିବଙ୍ଗତ ସଦସ୍ୟମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ଯଅତିଥି ରୂପେ ପୋଲିସ ବିଭାଗର ଅବସରପ୍ରାପ୍ତ ଅଧ୍ୟକ୍ଷ ଚୈତନ୍ୟ ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ପନ୍ଦର ଖଣ୍ଡ ପୁସ୍ତକ ରଚନାକରି ସୁଖ୍ୟାତି ଅର୍ଜନ କରିଥିବା ବେତାର ବିଭାଗର ପୂର୍ବତନ ଅଫିସର ଦୁର୍ଗାପ୍ରସାଦ ପରିଡାଙ୍କୁ ମାନପତ୍ର,ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଡଃ ସୁମନ ଦତ୍ତ ନିଜ ଭାଷଣରେ ଏହି ବୟସରେ କିପରି ନିଜର ଏବଂ ନିଜ ପତ୍ନୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇ ନିରାମୟ ଜୀବନ ଯାପନ କରି ପାରିବେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ନିରଞ୍ଜନ ରାଉତ ବିଭିନ୍ନ ଗଳ୍ପର ଉଦାହରଣ ଦେଇ ସମ୍ମୁଖୀନ ହେଉଥିବା ବୃଦ୍ଧକାଳୀନ ସମସ୍ଯାଗୁଡିକର କିପରି ସହଜରେ ସମାଧାନ କରିହେବ, ସେହି ବିଷୟରେ ଆଲୋକପାତ କରିଥିଲେ। ସର୍ବଶ୍ରୀ ରଜନୀକାନ୍ତ ନାୟକ, ରମେଶ ଚନ୍ଦ୍ର ପରିଡା, ବସନ୍ତ କୁମାର ନାୟକ, ବାବାଜୀ ଚରଣ ଚୌଧୁରୀ, ଅବକାଶ ଜେନା, ଅଲେଖ ଚନ୍ଦ୍ର ଜେନା, ଗଣନାଥ ପଟ୍ଟନାୟକ, ରଥ ନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ଲକ୍ଷ୍ମୀଧର ପ୍ରହରାଜ ପ୍ରମୁଖ ନିଜ ନିଜ ଭାଷଣରେ ବିଭିନ୍ନ ବିଷୟରେ ସ୍ମୃତିଚାରଣ କରି ପରିବେଶକୁ ଭାବଗମ୍ଭୀର କରି ଦେଇଥିଲେ। ଧନ୍ୟବାଦ ଅର୍ପଣ ପରେ ପ୍ରସାଦ ସେବନ କରି ସଭା ସାଙ୍ଗ କରାଯାଇଥିଲା।

