*ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ୨୦୨୫-୨୬ର ପରୀକ୍ଷା ଫଳ ପ୍ରକାଶନ*
ରାଉରକେଲା ୭/୪,:(ଉତ୍କଳ ସମାଚାର): ଦକ୍ଷତା ଓ ବୈଷୟିକ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାର ଏକ ଉଲ୍ଲେଖନୀୟ ନିଦର୍ଶନ ସ୍ବରୂପ ଓଡିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ସଫଳତାର ସହ ୨୦୨୫-୨୬ ଅଡ୍ (Odd) ସେମିଷ୍ଟାର୍ ପରୀକ୍ଷା ଫେଜ୍-୨ର ଫଳାଫଳ ଅନ୍ତିମ ପରୀକ୍ଷା ଶେଷ ହେବାର ମାତ୍ର ୨ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ମୂଲ୍ଯାଙ୍କନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ଏକ ନୂତନ ପଦ୍ଧତି ଆପଣାଇଥିଲା। ଫଳରେ ଶେଷ ପରୀକ୍ଷା ଶେଷ ହେବାର ସାତ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବା ସମ୍ଭବପର ହୋଇପାରିଥିଲା।
ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କ୍ରମାଗତ ତଦାରଖ ଫଳରେ ଏବେ ଶେଷ ପରୀକ୍ଷା ସରିବାର ମାତ୍ର ଦୁଇ ଦିନ ମଧ୍ୟରେ ଫଳାଫଳ ପ୍ରକାଶନ ସମ୍ଭବପର ହୋଇପାରିଛି। ସେମିଷ୍ଟାର ପରୀକ୍ଷା ୨୦୨୬ ଜାନୁଆରୀ ୧୨ ତାରିଖରେ ଆରମ୍ଭ ହୋଇ ୨୦୨୬ ଫେବୃଆରୀ ୩ ତାରିଖ ଦିନ ୧ଟାରେ ଶେଷ ହୋଇଥିଲା। ଏଥିରେ ବି.ଟେକ୍, ବି.ଆର୍କ, ବି.ଏସସି, ବି.ଫାର୍ମ, ବିବିଏ, ବିସିଏ, ଆଇଏମବିଏ, ଏମ୍ ଆର୍କ, ଏମ୍ ଫାର୍ମ, ଏମ୍.ଏ.ସି.ଆଇ, ଏମ୍ ଟେକ୍, ଏମବିଏ, ଏମସିଏ ଏବଂ ପିଏଚଡି କୋର୍ସ ଭଳି ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ବିଭିନ୍ନ ପାଠ୍ଯକ୍ରମ ଅନ୍ତର୍ଭୁକ୍ତ ଥିଲା। ଏହି ପରୀକ୍ଷାରେ ସର୍ବମୋଟ ୬୭ ହଜାର ୯୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
୨୦୨୬ ଜାନୁଆରୀ ୧୨ ତାରିଖରେ ପ୍ରଥମ ପରୀକ୍ଷା ଅନୁଷ୍ଠିତ ହେବା ପରେ ପରେ, ଉତ୍ତର ଖାତାଗୁଡିକୁ ସୁରକ୍ଷିତ ଭାବେ ଜାନୁଆରୀ ୧୩ ତାରିଖରେ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ମୃଖ୍ଯାଳୟକୁ ଅଣାଯାଇଥିଲା | ସେଠାରେ ଡିଜିଟାଲ୍ ଅନଲାଇନ୍ ମୂଲ୍ୟାୟନ ପାଇଁ ପ୍ରତ୍ୟେକ ଉତ୍ତରଖାତାକୁ କୋର୍ଡିଂ ଓ ସ୍କାନିଂ କରାଯାଇ ବିଶ୍ବବିଦ୍ୟାଳୟ ପରୀକ୍ଷା ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ପ୍ରତ୍ୟେକ ଦିନ ପରୀକ୍ଷା ଶେଷ ହେବା ପରେ, ଏହି ପ୍ରକ୍ରିୟାକୁ ନିୟମିତ ଭାବେ ଅନୁସରଣ କରାଯାଇଥିଲା।
ଏହି ଅବଧି ମଧ୍ୟରେ ସର୍ବମୋଟ୍ ୩ ଲକ୍ଷ ୫୧ ହଜାର ୨୬୪ଟି ଉତ୍ତର ଖାତାର ଡିଜିଟାଲ୍ ମୂଲ୍ୟୟନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ୧ ହଜାର ୪୫୭ ଜଣ ପଞ୍ଜିକୃତ ଅଧ୍ଯାପକଙ୍କ ଦ୍ବାରା ୫୮ଟି ନିର୍ଦ୍ଧାରିତ ନୋଡାଲ୍ ସେଣ୍ଟରରେ ଏହି ମୂଲ୍ୟାୟନ କାର୍ଯ୍ୟ କରାଯାଇଥିଲା । ମୂଲ୍ୟାୟନର ଗୁଣବତ୍ତା ଏବଂ ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଆଧ୍ଯାପକଙ୍କୁ ଦିନକୁ ସର୍ବାଧିକ ୪୦ଟି ଉତ୍ତରଖାତା ଦେଖିବାକୁ ଅନୁମତି ଦିଆଯାଇଥିଲା I ମୂଲ୍ୟାୟନ କାର୍ଯ୍ୟ ପ୍ରତିଦିନ ସକାଳ ୭ଟା ରାତି ୯ଟା ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ପରିଚାଳିତ ହେଉଥିଲା।
ବିଶ୍ବବିଦ୍ୟାଳୟର ପ୍ରଥମ ବିଧିର ଅନୁପାଳନ କ୍ରମେ, ୨୦୨୬ ଫେବୃଆରୀ ୫ ତାରିଖ ରାତି ୮ଟାରେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ଆପକ୍ଷତାରେ ପରିଚାଳନା ବୋର୍ଡ (Conducting Board)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ଡିନ୍ ଏବଂ ମନୋନୀତ ସଦସ୍ୟମାନେ ଉପସ୍ଥିତ ରହି ଫଳାଫଳକୁ ଟିକିନିଖି ସମୀକ୍ଷା କରିବା ସହ ଏହାକୁ ଅନୁମୋଦନ କରିଥିଲେ । ଆନୁଷ୍ଠାନିକ ଅନୁମୋଦନ ପରେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀରଙ୍କ ସମେତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ, କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ଏବଂ ଅନ୍ୟାନ୍ୟ ପ୍ରଫେସରଙ୍କ ଉପସ୍ଥିତିରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୨୬ ଫେବୃଆରୀ ୫ ତାରିଖ ରାତି ୯ଟା ସମୟରେ ଅଡ୍(Odd) ସେମିଷ୍ଟାର ପରୀକ୍ଷା ୨୦୨୫-୨୬ ଫେଜ୍-୨ ପରୀକ୍ଷାର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।
ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶନ, ସ୍ବଚ୍ଛତା ଏବଂ ଶୈକ୍ଷିକ ଦାୟିତ୍ବବୋଧ ସହିତ ଜ୍ଞାନ କୌଶଳର ସମନ୍ୱୟ ପ୍ରତି ବିପିୟୁଟି (BPUT)ର ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଫଳିତ କରୁଛି, ଯାହାକି ଉଚ୍ଚଶିକ୍ଷା ପ୍ରଶାସନ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି।
ବିଶ୍ବବିଦ୍ୟାଳୟର ଏହି ସଫଳତାକୁ “ଏସିଆ ବୁକ୍ ଅଫ୍ ରେକର୍ଡସ୍” ଏବଂ” “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍”ରେ ସ୍ଥାନିତ କରାଯାଇଛି। ଏହି ଅବସରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅଡିଟୋରିୟମରେ ଆୟୋଜିତ ଏକ ସ୍ବତନ୍ତ୍ର ଅଭିନନ୍ଦନ ଜ୍ଞାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନୀୟ ଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍, ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଆଲୋକ ବର୍ମା, ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଡିଆଇସି ଅତନୁ ଭୌମିକ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ, କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜଙ୍କ ସମେତ ଅନ୍ୟାନ୍ୟ ବିଭାଗର ପ୍ରଫେସର ପ୍ରମୁଖଙ୍କ ଉପସ୍ଥିତିରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପରୀକ୍ଷା ଶେଷ ହେବାର ୨ ଦିନ ମଧ୍ୟରେ କଲମ ଓ କାଗଜରେ ସବୁଠାରୁ ଗତିଶୀଳ ପରୀକ୍ଷାର ପରୀକ୍ଷା ଫଳ ପ୍ରକାଶନ ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥଙ୍କ ସମେତ ବିପିୟୁଟିର କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ଏବଂ ଅନ୍ୟାନ୍ୟ ବିଭାଗର ପ୍ରଫେସରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

