ରାଉରକେଲା ,୮/୪(ଉତ୍କଳ ସମାଚାର): ମଙ୍ଗଳବାର ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଜଣେ ଆରଟିଆଇ କର୍ମୀ ଏବଂ ନିଗମ କର୍ମଚାରୀଙ୍କ ମଧ୍ୟରେ ବିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିବାଦକୁ ନେଇ ହାତାହାତି ଭଳି ପରିସ୍ଥିତିରେ ପରିଣତ ହୋଇଥିଲା।
ସୂଚନା ଅନୁସାରେ, ଆରଟିଆଇ କର୍ମୀ ଓ ଆରଏମସି କର୍ମଚାରୀଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହାଫଳରେ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା। ଏହାପରେ ଘଟଣାକୁ ନେଇ ଆରଏମସି କର୍ମଚାରୀମାନେ ଉଦିତନଗର ଥାନାରେ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ନବୀନ ଗୁପ୍ତା ନାମକ ଜଣେ ଯୁବକ, ଯିଏ ନିଜକୁ ଆରଟିଆଇ କର୍ମୀ ବୋଲି ଦାବି କରୁଛନ୍ତି, ସେ ବାରମ୍ବାର ଆରଏମସି କାର୍ଯ୍ୟାଳୟକୁ ଆସି ବିଶୃଙ୍ଖଳା ସୃଷ୍ଟି କରୁଥିଲେ।
ଆରଏମସି କର୍ମଚାରୀମାନେ ଆହୁରି ଦାବି କରିଛନ୍ତି ଯେ, ମଙ୍ଗଳବାର ସକାଳେ ନବୀନ ଗୁପ୍ତା ଜଣେ ଆରଏମସି କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର କରିଥିଲେ।
ଏହି ଘଟଣା ପରେ, କର୍ମଚାରୀମାନେ ଉଦିତନଗର ଥାନାରେ ଅଭିଯୋଗ ଦାଖଲ କରିଥିଲେ ଏବଂ ଏହି ଅବ୍ୟବସ୍ଥା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ସେଠାରେ ଏକାଠି ହୋଇଥିଲେ।
ଅନ୍ୟପକ୍ଷରେ, ନବୀନ ଗୁପ୍ତା କହିଛନ୍ତି ଯେ ସେ ଏକ ଟେଣ୍ଡର ସମ୍ପର୍କିତ ସୂଚନା ପାଇଁ ଆରଏମସି କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ତାଙ୍କୁ ଆରଏମସି କାର୍ଯ୍ଯାଳୟରେ ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଆରଏମସି କାର୍ଯ୍ଯାଳୟରେ ସେ ଯେତେବେଳେ ବିଳମ୍ବର ପ୍ରତିବାଦ କଲେ, ଏହାକୁ ନେଇ ଆରଏମସି କର୍ମଚାରୀଙ୍କ କ୍ରୋଧର ଶିକାର ହେଲେ ଏବଂ ତାଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କଲେ।
ଏହି ଘଟଣା ଆରଏମସି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଉଦିତନଗର ପୋଲିସ ଉଭୟ ପକ୍ଷଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି।


