ରାଜଗାଙ୍ଗପୁର,୧୦/୪(ଉତ୍କଳ ସମାଚାର):, ଦୀର୍ଘଦିନ ଧରି ରାଜଗାଙ୍ଗପୁରର ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସମାଧାନ ପାଇଁ ରାଜ୍ୟ ବିଜୁ ଜନତା ଦଳ ଜନଜାତି ଉପସଭାପତି ମଙ୍ଗଳା କିସାନ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ମଧ୍ଯ, ସେସବୁ ପୂରଣ ହେଉନଥିବାରୁ ପୁନର୍ବାର ଏକ ଦାବିପତ୍ର ମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ କିସାନ। ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର କୁତ୍ରା ବ୍ଲକ୍, ରାଜଗାଙ୍ଗପୁର ବ୍ଲକ୍, ରାଜଗାଙ୍ଗପୁର ପୌରାଞ୍ଚଳ, ଲାଠିକଟା ବ୍ଲକର ବିଭିନ୍ନ ରାସ୍ତା ଯଥା, ପିଡବ୍ଲୁଡି, ଆରଡି ଓ ବ୍ଲକ୍ ରାସ୍ତା ଖରାପ ହୋଇଯାଇଥିଲେ ମଧ୍ୟ ଏହାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ମଙ୍ଗଳା କିଷାନ। ଏହି ୩ଟି ବ୍ଲକ ସମେତ ରାଜଗାଙ୍ଗପୁର ପୌରାଞ୍ଚଳର ଥିବା ବୃଦ୍ଧ, ବୃଦ୍ଧା ଓ ମହିଳାମାନେ ଭତ୍ତା ପାଇଁ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଉନାହଁ ବୋଲି ଅଭିଯୋଗ କରିଛନ୍ତି ମଙ୍ଗଳା କିଷାନ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ୩୫୦୦ ଟଙ୍କା ମିଳିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପ୍ରଦାନ କରାଯାଉନାହଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ କିଷାନ।
ରାଜଗାଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳ ସମେତ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଞ୍ଚଳରେ ପାଓ୍ବାର ପ୍ଲାଣ୍ଟରୁ ବିହାରୁଥିବା ଫ୍ଲାଏ ଆସ୍ ପରିପୂର୍ଣ୍ଣ ହେବାଭଳି ଅନୁଭବ ହେଉଛି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଶ୍ରୀ କିଷାନ ଦାବି କରିଛନ୍ତି। ରାଜଗାଙ୍ଗପୁର ପୌରାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ଫ୍ଲାଏ ଓଭର ଅଧାପନ୍ତରିଆ ଭାବେ ପଡିରହିଛି। ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ପାଇଁ ମଙ୍ଗଳା କିଷାନ ଦାବି କରିଛନ୍ତି। ଦୀର୍ଘ ଦିନ ଧରି ଆଦିବାସୀମାନେ ଜଙ୍ଗଲ ଜମି ପାଇଁ ପଟ୍ଟା ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉନାହଁ ବୋଲି ଅଭିଯୋଗ କରିଛନ୍ତି ମଙ୍ଗଳା କିଷାନ। ମଧ୍ଯବିତ୍ତ ପରିବାରଙ୍କୁ ସରକାର ରାସନ କାର୍ଡ ଦେବା ପାଇଁ ଘୋଷଣା କରିଥିଲେ ମଧ୍ଯ, ସେମାନଙ୍କୁ ରାସନ ପ୍ରଦାନ କରାଯାଉନାହଁ ବୋଲି ଅଭିଯୋଗ କରିଛନ୍ତି ମଙ୍ଗଳା କିଷାନ।

