ରାଉରକେଲା ୧୦/୪,(ଉତ୍କଳ ସମାଚାର): ପାନପୋଷ ହକି ହଷ୍ଟେଲ ଓ ହକି ଫିଲଡ୍ କିଷାନ ଟୋଲା ବସ୍ତିରେ ନିଜ ପୁଅ ଓ ବୋହୁଙ୍କ ସହିତ ରୁହନ୍ତି ୮୮ ବର୍ଷୀୟ ବୃଦ୍ଧ ବାବାଓ ଦୋରା। ପୂର୍ବରୁ ବାବାଓ ଦୋରା ରାଉରକେଲା ଇସ୍ପାତ କାରଖାନା ଅଧିନରେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ଛେଣ୍ଡ କଲୋନୀର ନବନିର୍ମିତ କଳିଙ୍ଗବିହାର ସ୍ଥାପନ ହେବା ପରେ ସେଠାକୁ ଆସି ୧୦/୧୫ଟି ଗାଈ ରଖି ରୋଜଗାର କରୁଥିଲେ। ସେ ସମୟରେ ବାବାଓ ଦୋରା, ତାଙ୍କ ସ୍ତ୍ରୀ, ଦୁଇଟି ଅବିବାହିତ ଝିଅ ଏବଂ ଏକମାତ୍ର ପୁଅ ରହୁଥିଲେ। ଶ୍ରୀ ଦୋରା ଆଗରୁ ଦୁଇଟି ଝିଅଙ୍କୁ ବିବାହ ଦେଇସାରିଥିଲେ। କଳିଙ୍ଗବିହାରରେ ରହିଥିବା ସମୟରେ ଆଉ ଗୋଟିଏ ଝିଅକୁ ବାହା କରାଇଥିଲେ ଏବଂ ଆରଡିଏ କଲୋନୀର ଏକ ପ୍ଲଟ ନେଇ ତିନିମହଲା କୋଠା ନିର୍ମାଣ କରି ଭଡାକୁ ଲଗାଇବା ପରେ, ପାନପୋଷ ହକି ହଷ୍ଟେଲ ଫିଲଡ୍ ନିକଟରେ ଏକ ଜାଗାରେ ଘରକରି ରହିବା ସହିତ ପୁଅକୁ ମଧ୍ଯ ବାହା କରାଇଥିଲେ।
ପ୍ରାୟ ବର୍ଷେ ପୂର୍ବରୁ ବାବାଓ ଦୋରାଙ୍କ ସ୍ତ୍ରୀ ମରିଯିବା ପରେ ତାଙ୍କ ପୁଅ ଶଙ୍କର ଦୋରା ଓ ବୋହୁ ବାବାଓ ଦୋରାଙ୍କୁ ଅଣଦେଖା କରିବା ସହିତ ତାଙ୍କୁ ଖାଇବାକୁ ନଦେଇ ମାରଧର କରି ପ୍ରାୟ ୧୫ ଦିନ ହେବ ଘରୁ ବହାର କରିଦେଇଛନ୍ତି। ଏ ବିଷୟ ନେଇ ୮୮ ବର୍ଷୀୟ ବାବାଓ ଦୋରା ରଘୁନାଥପାଲ୍ଲୀ ଥାନାରେ ଗତ ୨୦୨୬ ଅପ୍ରେଲ ୭ ତାରିଖ ଦିନ ଅଭିଯୋଗ କରିଥିଲେ ମଧ୍ୟ ରଘୁନାଥପାଲ୍ଲୀ ପୋଲିସ୍ ୮୮ ବର୍ଷୀୟ ବୃଦ୍ଧ ପିତାଙ୍କ ପ୍ରତି ପୁତ୍ର ଓ ପୁତ୍ରବଧୂର ଅମାନବୀୟ ଘଟଣାକୁ ସଙ୍ଗୀନ ନନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ଆସିବା ପରେ କେତେକ ସାମ୍ବାଦିକଙ୍କ ପକ୍ଷରୁ ରଘୁନାଥପାଲ୍ଲୀ ଥାନାର ରିସେପସନ ଦାୟିତ୍ବରେ ଥିବା ମହିଳା ସବ୍ଇନିସପେକ୍ଟରଙ୍କୁ ଭେଟିଥିଲେ। ରଘୁନାଥପାଲ୍ଲୀ ରିସେପସନ୍ ଦାୟିତ୍ବରେ ଥିବା ମହିଳା ସବ୍ଇନିସପେକ୍ଟର, ୮୮ ବର୍ଷୀୟ ବୃଦ୍ଧ ପିତାଙ୍କ ୪ ଝିଅଙ୍କୁ ଡାକି ଜମିଜମା ଘଟଣା କହି ଅଭିଯୋଗକୁ ଆଡେଇ ଦେବା ସହ ବୃଦ୍ଧ ବାବାଓ ଦୋରାଙ୍କ ପୁଅ ଶଙ୍କର ଦୋରାଙ୍କୁ ନଡାକି ଅଭିଯୋଗକୁ ଟାଳି ଦେଇଛନ୍ତି। ସାମ୍ବାଦିକମାନଙ୍କ ପକ୍ଷରୁ ପ୍ରତ୍ଯେକ୍ଷରେ ୮୮ ବର୍ଷୀୟ ବାବାଓ ଦୋରାଙ୍କ ୪ ଝିଅଙ୍କୁ ଭେଟିବା ପରେ, ସାମ୍ବାଦିକମାନେ ରଘୁନାଥପାଲ୍ଲୀ ଥାନା ଅଧିକାରୀଙ୍କୁ ଭେଟି ଥିଲେ। ଥାନା ଅଧିକାରୀ ଘଟଣାର ତଦନ୍ତ କରିବା ସହିତ ୮୮ ବର୍ଷୀୟ ବାବାଓ ଦୋରାଙ୍କ ସମ୍ପୃକ୍ତ ପୁଅକୁ ଡାକି ଘଟଣାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ଯେ, ବୃଦ୍ଧ ବାପାଙ୍କ ପ୍ରତି ପୁଅ ଓ ବୋହୂର କଣ କିଛି କର୍ତ୍ତବ୍ୟ ନାହିଁ। ଆଗକୁ କଣ ମାନବ ସମାଜରେ ପୁଅଙ୍କ ବାପାଙ୍କ ପ୍ରତି ଅମାନବୀୟ ଅତ୍ଯାଚାର ବୃଦ୍ଧି ପାଇବ ! ଆଇନରେ ବୃଦ୍ଧ ପିତାଙ୍କ ପ୍ରତି ନ୍ଯାୟ ଦେବାର ବ୍ୟବସ୍ଥା ଥିଲେ ମଧ୍ଯ ପୋଲିସ୍ ପକ୍ଷରୁ ଏହାକୁ ଅଣଦେଖା କରାଯାଇ ଆଡେଇ ଦିଆଯିବା ସହିତ ଆଇନର ବ୍ୟବସ୍ଥାକୁ ଦୁର୍ବଳ କରିଦେବ !

