ରାଉରକେଲା, ୧୦/୪(ଉତ୍କଳ ସମାଚାର)::, ସଡକ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଗୁରୁବାର ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥ-୧୪୩ର ରାସ୍ତା ଅବରୋଧ କରିବା ପରେ ରାଉରକେଲା ରୂପଟୋଲା ନିକଟରେ ଉତ୍ତେଜନା ଦେଖାଦେଇଛି।
ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ପାନପୋଷ ରୂପଟୋଲା ନିକଟରେ ଏକ ଫୋର୍ଡ ଇକୋ ସ୍ପୋର୍ଟ କାର (JH 01BQ 6163) ଦୃତଗାମୀ କାର ଧକ୍କା ଦେବାରୁ, ସାବିନା ସୁରିନ୍ ନାମକ ଜଣେ ଯୁବତୀ ଦୁର୍ଘଟଣା ଶୀକାର ହୋଇ ଜୀବନ ହରାଇଥିଲେ। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି।
ଏହି ଦୁର୍ଘଟଣାକୁ ନେଇ ଗୁରୁବାର ଦିନ, ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହିତ ଆହତ ବାସିନ୍ଦା ଦୁର୍ଘଟଣାସ୍ଥଳ ନିକଟରେ ଏନ୍ଏଚ୍-୧୪୩ ଅବରୋଧ କରିଥିଲେ। ଯାହା ଫଳରେ ଉଭୟ ପାର୍ଶ୍ୱରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପ୍ରତିବାଦ ଜାରି ରହିବା ସହିତ ଯାନବାହାନର ଲମ୍ବା ଧାଡ଼ିରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ପ୍ରତିବାଦକାରୀମାନେ ରାସ୍ତାରେ ବସି ଟାୟାର ଜାଳି ଆନ୍ଦୋଳନକୁ ତୀବ୍ର କରିଥିଲେ। ପୀଡିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦାବି କରିଥିଲେ। ସେମାନଙ୍କ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଉପରେ ଚିନ୍ତା ପ୍ରକଟ କରିଥିଲେ। ଦୁର୍ଘଟଣାକୁ ରୋକିବା ପାଇଁ ଏକ ଫ୍ଲାଏଓଭର ନିର୍ମାଣ ମଧ୍ଯ ଦାବି କରିଥିଲେ।
ଘଟଣା ପରେ ପାନପୋଷ ଏସଡିପିଓ ସୁଶାନ୍ତ କୁମାର ଦାସ ଏବଂ ରଘୁନାଥପାଲି ଥାନାର ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତଥାପି, ସ୍ଥାନୀୟ ଲୋକମାନେ ସେମାନଙ୍କ ଦାବିରେ ଅଟଳ ରହିବାରୁ ରାସ୍ତା ଅବରୋଧ ଜାରି ରହିଥିଲା।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା ବେଳେ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ଏବଂ ରାଜପଥ ସଫା କରିବା ପାଇଁ ପ୍ରୟାସ କରୁଥିଲେ।
ଏନ୍ଏଚ୍-୧୪୩ର ପାନପୋଷ ରୂପୁଟୋଲା ଠାରେ ଦୁର୍ଘଟଣା ପରେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିଲା ବେଳେ ସେଥିରେ ବସିଥିବା ତିନି ଜଣ ଆହତଙ୍କୁ ରଘୁନାଥପାଲ୍ଲୀ ପୋଲିସ୍ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇବା ସହିତ ମୃତା ଯୁବତୀ ନର୍ସିଂ ଛାତ୍ରୀ ସାବିନା ସୁରୀନଙ୍କୁ ମଧ୍ଯ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସାବିନା ସୁରୀନଙ୍କ ମୃତ୍ୟୁ ଘଟିଥିଲା। ଅନ୍ଯପକ୍ଷରେ ଫୋର୍ଡ କାରରେ ଥିବା ଚାଳକଙ୍କ ସମେତ ତିନି ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ବେଳେ, ସେଠାରେ ପ୍ରାୟ ୫୦ରୁ ୬୦ ଲୋକ ଆସି ଗହଳି କରିଦେଇଥିଲେ। ଏହି ସମୟ ମଧ୍ୟରେ ଫୋର୍ଡ କାରରେ ଥିବା ତିନି ଆହତ ହସ୍ପିଟାଲ ବେଡ ଛାଡି ଫେରାର ହୋଇଯାଇଥିଲେ। ଏପରିକି ହସ୍ପିଟାଲରେ ଥିବା ସେମାନଙ୍କ ଭର୍ତ୍ତି ହେବା ଟିକେଟ ମଧ୍ଯ ନେଇନଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏଠାରେ ପ୍ରଶ୍ନ ଉଠୁଛି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କ ସମେତ ତିନି ଆହତ ଓ ଅଭିଯୁକ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ପୋଲିସ୍ ପକ୍ଷରୁ କୌଣସି ଜଗୁଆଳି ବ୍ଯବସ୍ଥା କରାଯାଇ ନଥିଲା କିପରି ? ଆଜି ଏନେଇ ଦୁର୍ଘଟଣାର ଶିକାର ହୋଇଥିବା ରୂପୁଟୋଲା ଜନସାଧାରଣଙ୍କ ପକ୍ଷରୁ ରଘୁନାଥପାଲ୍ଲୀ ଥାନା ଘେରାଉ କରାଯିବା ସହିତ ଗାଡିର ମାଲିକଙ୍କୁ ହାଜର କରି କ୍ଷତିପୂରଣ ଦାବି କରାଯାଇଛି।

