ସମ୍ବଲପୁର,୦୭/୦୫(ଉତ୍କଳ ସମାଚାର),(ସରୋଜ ସାହୁ): ଜ୍ଞାନର ପବିତ୍ର ମନ୍ଦିରରେ ଯେତେବେଳେ ନିଷ୍ଠାର ଦୀପଶିଖା ପରିଶ୍ରମର ଇନ୍ଧନରେ ପ୍ରଜ୍ୱଳିତ ହୁଏ, ସେତେବେଳେ ସଫଳତାର ସୁବର୍ଣ୍ଣ ଅକ୍ଷରରେ ଇତିହାସ ଲଲେଖାଯାଏ। ସେହିପରି ଏକ ଅଲୋକିକ ଅଧ୍ୟାୟକୁ ସାକ୍ଷୀ ହୋଇଛି ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ ହୀରାକୁଦ ସ୍ଥିତ ପିଏମ୍ ଶ୍ରୀ ମହମ୍ମଦପୁର ସରକାରୀ ଉଚ୍ଚ ବିଦ୍ୟାଳୟ I ବର୍ଷ ୨୦୨୬ ରେ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଏକ ଗରିମାମୟ ସମ୍ମାନ ସମାରୋହ ଶିକ୍ଷାପ୍ରତି ନିଷ୍ଠା ଓ ସଫଳତାର ଅମୂଲ୍ୟ ସମ୍ମିଳନକୁ ଜନମାନସରେ ପ୍ରକାଶିତ କରିଛି I ଏହି ସମ୍ମାନ ସମାରୋହର ମୂଳ ଉଦ୍ଦେଶ୍ୟ ଥିଲା ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ୍ (ବିଏସଇ), ଓଡ଼ିଶାଙ୍କ ଅଧୀନରେ ଆୟୋଜିତ ହୋଇଥିବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍କର୍ଷ ଅର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଯଥୋଚିତ ସମ୍ମାନ ଜଣାଇବା। ଏହି ପବିତ୍ର ଅବସରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଉଠିଥିଲେ ବିଦ୍ୟାଳୟର ପ୍ରତିଭାଶାଳୀ ଛାତ୍ରୀ ସୁଭାଶ୍ରୀ ଡାକୁଆ I ସୁଭାଶ୍ରୀ ଡାକୁଆ ତାଙ୍କର ଅଦମ୍ୟ ପରିଶ୍ରମ, ଅବିଚଳ ଏକାଗ୍ରତା ଓ ଅଦ୍ୱିତୀୟ ଶିକ୍ଷାନୁରାଗର ଫଳସ୍ୱରୂପ ୨୦୨୬ ମସିହାର ୧୦ମ ଶ୍ରେଣୀ ପରୀକ୍ଷାରେ ୬୦୦ରୁ ୫୫୯ ମାର୍କ ଅର୍ଜନ କରି ୯୩.୧୬ ପ୍ରତିଶତ ସହ ସମ୍ବଲପୁର ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରି ଏକ ଦୃଷ୍ଟାନ୍ତମୂଳକ ସଫଳତାର ସୁବର୍ଣ୍ଣ ଅଧ୍ୟାୟ ରଚନା କରିଛନ୍ତି। ତାଙ୍କର ଏହି ଦୀପ୍ତିମାନ କୃତିତ୍ୱ କେବଳ ବିଦ୍ୟାଳୟ ପରିସରକୁ ନୁହେଁ, ସମଗ୍ର ସମ୍ବଲପୁର ଜିଲ୍ଲାକୁ ଗର୍ବର ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିଛି।ଏହି ଗରିମାମୟ ସମାରୋହରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷିକାମାନେ, ଅଭିଭାବକମାନେ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିଲେ। ପରିବେଶ ଥିଲା ଗମ୍ଭୀରତା, ଗୌରବ ଓ ଉତ୍ସାହର ମନୋମୁଗ୍ଧକର ସମନ୍ୱୟରେ ପ୍ରବାହିତ। ସୁଭାଶ୍ରୀଙ୍କୁ ପୁଷ୍ପମାଳା ଓ ସମ୍ମାନପତ୍ର ପ୍ରଦାନ କରିଛନ୍ତି।ସଭାଟିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାତୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ବରିଷ୍ଠ ନାଗରିକ ଗୋଷ୍ଠିର ପ୍ରଦୀପ ପଣ୍ଡା ଓ ଜଟା ସାହୁ ଉପସ୍ଥିତ ଥିଲେ I ଏହି ଅବସରରେ ପ୍ରଦୀପ ପଣ୍ଡା ତାଙ୍କ ଉତ୍କୃଷ୍ଟ ଭାଷଣରେ ପ୍ରଥମେ A1 ଓ A2 ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ସେ ପ୍ରଶଂସା କରି ତାଙ୍କର କଠୋର ପରିଶ୍ରମ ଓ ନିଷ୍ଠାକୁ ସ୍ୱୀକାର କରିଥିଲେ। ସେହି ସହିତ ଶିକ୍ଷକମାନଙ୍କର ଅକ୍ଷୟ ପ୍ରୟାସ ଓ ନିରନ୍ତର ଉଦ୍ୟମକୁ ମଧ୍ୟ ସେ ବିଶେଷ ଭାବେ ପ୍ରଶଂସା କରିଥିଲେ। ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ି ଯେଉଁ ଛାତ୍ର ମାନେ ଶ୍ରେୟସ ଆଣିଛନ୍ତି ବୋଲି ସେ ବିଦ୍ୟାଳୟକୁ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କଲେ। ଫଳାଫଳ ଅନୁସାରେ ସୁଭାଶ୍ରୀ ଡାକୁଆ A1 ଗ୍ରେଡ୍ ଅଧିଗତ କରି ବିଦ୍ୟାଳୟର ଗୌରବ ବଢ଼ାଇଥିଲେ। ସେହିପରି ଇତିଶ୍ରୀ ମିର୍ଦ୍ଧା, ଦିବ୍ୟାଶିଷ କୁଅର ଓ ଅରବିନ୍ଦ ପ୍ରଧାନ A2 ଗ୍ରେଡ୍ ପାଇଥିଲେ। ଏହି ସମ୍ବର୍ଦ୍ଧନା ସଭା ଛାତ୍ରଛାତ୍ରୀଙ୍କୁ ଆଗାମୀ ଜୀବନରେ ଅଧିକ ସଫଳତା ଅର୍ଜନ କରିବାକୁ ପ୍ରେରଣା ଯୋଗାଇଥିଲା। ସଭାର ଶେଷରେ ଶ୍ରୀ ଅନିଲ ମିଶ୍ର ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ I

