ରାଇଘର,ନରସିଂବାଘ ତାରିଖ:4//6,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ଏକ ଖ୍ରୀଷ୍ଟିଆନ ବିବାହ ଅବସରରେ ଧର୍ମୀୟ ତଣାତଣି ସୃଷ୍ଟି ହୋଇ ଗଣ୍ଡଗୋଳ ଘଟିଥିବା ଖବର ମିଳିଛି। ଘଟଣାଟି ଦେବାଗାଁ ପଂଚାୟତ ଅନ୍ତର୍ଗତ ଡୁମୁରିମୁଣ୍ଡା ଗ୍ରାମରେ ଘଟିଥିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଡୁମୁରିମୁଣ୍ଡା ଗ୍ରାମର ଜଣେ ଯୁବତୀଙ୍କ ବିବାହ ହଳଦୀ ଗ୍ରାମର ଜଣେ ଯୁବକଙ୍କ ସହିତ ନିର୍ଦ୍ଧାରିତ ହୋଇଥିଲା। ଉଭୟ ପରିବାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥିବାରୁ ସେମାନେ ନିଜ ଧର୍ମୀୟ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରୁଥିଲେ। ବରପକ୍ଷ ବରଯାତ୍ରୀ ସହିତ ଗ୍ରାମକୁ ପହଂଚିଥିବା ବେଳେ କନ୍ୟାପକ୍ଷ ପକ୍ଷରୁ ସ୍ୱାଗତ ଓ ଭୋଜନ ବ୍ୟବସ୍ଥା ଚାଲିଥିଲା।ଏହି ସମୟରେ ଗ୍ରାମର କିଛି ଅସାଧୁ ବ୍ୟକ୍ତି ବାହାଘର ସ୍ଥଳରେ ପ୍ରବେଶ କରି “ହିନ୍ଦୁ ଗ୍ରାମରେ ଖ୍ରୀଷ୍ଟିଆନ ବିବାହ ହେବ ନାହିଁ” ବୋଲି ବିରୋଧ କରିଥିଲେ। ଏଥିରୁ ତଣାତଣି ବଢ଼ି ଗଣ୍ଡଗୋଳ ଆକାର ନେଇଥିଲା ଏବଂ କିଛି ଲୋକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ଫଳରେ ବିବାହ କାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇଥିଲା।ପରିସ୍ଥିତି ଗମ୍ଭୀର ହେବା ପରେ ବର ଓ କନ୍ୟାପକ୍ଷ ପକ୍ଷରୁ ପୋଲିସର ସହାୟତା ଚାହିଁଥିଲେ। ଖବର ପାଇ ରାଇଘର ପୋଲିସ ସହିତ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତ୍ତ କରିଥିଲେ ଏବଂ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ବରପକ୍ଷ ଖାଦ୍ୟ ଗ୍ରହଣ କରିନଥିବା ସତ୍ତ୍ୱେ କନ୍ୟାଙ୍କୁ ନେଇ ବିବାହ କାର୍ଯ୍ୟ ସମାପ୍ତ କରିଥିବା ଜଣାପଡ଼ିଛି।ଭାରତ ଭଳି ଧର୍ମନିରପେକ୍ଷ ଦେଶରେ ଏଭଳି ଘଟଣା ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ବିଧାନ ଅନୁସାରେ ସମସ୍ତ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କୁ ସମାନ ଅଧିକାର ମିଳିଥିବା ବେଳେ ଏପରି ଘଟଣା ଦୁଃଖଦ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଏନେଇ ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ସହିତ ଲୋକମାନଙ୍କ ମଧ୍ୟରେ ସମ୍ବିଧାନିକ ଅଧିକାର ଓ ସାମ୍ପ୍ରଦାୟିକ ସମ୍ମିଳନ ବିଷୟରେ ସଚେତନତା ବୃଦ୍ଧି କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି

