ରାଉରକେଲା/ ୨୨/୭,(ଉତ୍କଳ ସମାଚାର): ଉଦିତନଗର ତପସ୍ଵିନୀ ମାର୍କେଟ (ସମ୍ପ୍ରସାରିତ ଭାଗ)ରେ ଥିବା ୨ ନମ୍ବର ଦୋକାନ ରାମଚନ୍ଦ୍ରନ ପିଲାଇ (୬୧ ବର୍ଷ)ଙ୍କ ଏକ ରୟାଲ ଏନଫିଲଡ୍ ରିପାୟାରିଂ ଗ୍ଯାରେଜ ହୋଇଥିବାବେଳେ, ଶ୍ରୀ ପିଲାଇ ଛେଣ୍ଡବସ୍ତିର ଶୁକ୍ରବାର ବଜାର ନିକଟରେ ରହୁଛନ୍ତି। ଉଦିତନଗରର ତପସ୍ଵିନୀ ମାର୍କେଟର ସମ୍ମୁଖ ଭାଗରେ ରାଉରକେଲାରୁ ପାନପୋଷ ମୁଖ୍ୟ ରାସ୍ତା ଯାଇଥିବାବେଳେ, ଗ୍ୟାରେଜଟି ପଛପଟ ରାସ୍ତାର ଅର୍ଥାତ୍ ରାଉରକେଲା ପୋଲିସ୍ ମୁଖ୍ୟାଳୟର ସମ୍ମୁଖ ଭାଗରେ ମାତ୍ର ୫୦ ମିଟର ଦୂରରେ ରହିଛି। ଅପରପକ୍ଷରେ ତପସ୍ଵିନୀ ମାର୍କେଟ୍ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରୁ ମାତ୍ର ୧୦୦ ମିଟର ଏବଂ ବାସଭବନ ଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି। ଗତ ରାତିରେ କେତେକ ଦୁର୍ବୃତ୍ତ ଗ୍ଯାରେଜର ତାଲା ଭାଙ୍ଗିବା ସହିତ ସଟର ଟେକି ଦେଇ ଚୋରି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ୟାରେଜ୍ ମାଲିକ ରାମଚନ୍ଦ୍ର ପିଲାଇ। ଶ୍ରୀ ପିଲାଇ ଉଦିତନଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଦୋକାନ ଉଦିତନଗର ତପସ୍ୱିନୀ ମାର୍କେଟ (ବିସ୍ତାରିତ ବ୍ଲକ)ରେ ରହିଛି। ସେ ଜୁଲାଇ ୨୦ ତାରିଖ ଦିନ ପ୍ରାୟ ୨ଟା ସମୟରେ ସେ ତାଙ୍କର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଗତକାଲି ବର୍ଷା ଯୋଗୁଁ ତାଙ୍କ ଦୋକାନ ବନ୍ଦ ଥିଲା। ଆଜି ଅର୍ଥାତ୍ ୨୨.୦୭.୨୦୨୬ ସକାଳ ପ୍ରାୟ ୯ଟା ସମୟରେ ସେ ଯେତେବେଳେ ତାଙ୍କ ଦୋକାନ ପାଖରେ ପହଞ୍ଚିଲେ, ସେ ଦେଖିଲେ ଯେ ତାଙ୍କ ଦୋକାନର ସଟର ତାଲା ଭଙ୍ଗା ଯାଇଛି ଏବଂ ସଟର ଅଧା ବନ୍ଦ ରହିଛି। ସେ ଯେତେବେଳେ ଦୋକାନ ଭିତରକୁ ପ୍ରବେଶ କରିଲେ, ସେ ଦେଖିଲେ ଯେ ଲୁହା ଲକର ମଧ୍ୟ ଭଙ୍ଗା ଥିଲା, ଦୁର୍ବୃତ୍ତମାନେ ଲୁହା ଲକର ଭାଙ୍ଗି ୧,୨୫,୦୦୦/- (ଏକ ଲକ୍ଷ ପଚିଶ ହଜାର ଟଙ୍କା)ରୁ ଅଧିକ ଟଙ୍କା ନେଇଯାଇଥିଲେ ଏବଂ ସେମାନେ ତାଙ୍କ ଦୋକାନରୁ କିଛି ଗାଡ଼ିର ପାର୍ଟସ୍ ମଧ୍ୟ ନେଇଯାଇଥିବା ସେ ଏତାଲାରେ ଉଲ୍ଲେଖ କରିଛନ୍ତି। ଗାଡ଼ିର ପାର୍ଟସ୍ କିଣିବା ପାଇଁ ସେ ଲକରରେ ଟଙ୍କା ରଖିଥିଲେ। ସେହି ଟଙ୍କା ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଦୋକାନ ସାମ୍ନାରେ ଡ୍ରେସ୍ ଅର୍ଥାତ୍ (ଗୋଟିଏ ଗୋଲ ବେକ ବାନିଆନ୍) ମଧ୍ୟ ଛାଡ଼ି ଦେଇଛନ୍ତି ବୋଲି ସେ ଏତାଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଧରିବା ସହ କଠିନ ଦଣ୍ଡରେ ଦଣ୍ଡିତ କରିବାକୁ ଶ୍ରୀ ପିଲାଇ ଅନୁରୋଧ କରିଛନ୍ତି।

ତପସ୍ଵିନୀ ମାର୍କେଟ ପଛପଟ, ମାର୍କେଟର ସମ୍ପ୍ରସାରିତ ବ୍ଲକ ହୋଇଥିବାବେଳେ, ଏହା ସମ୍ମୁଖରେ ରାଉରକେଲା ପରିବହନ କାର୍ଯ୍ଯାଳୟ, ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ, ପାନପୋଷ ଉପଜିଲ୍ଲାପାଳଙ୍କ ବାସଭବନ ସମେତ ଅନତିଦୂରରେ ରହିଛି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଏବଂ ରାଉରକେଲା ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ। ରାତିର ବିଳମ୍ବିତ ପ୍ରହରରେ ତପସ୍ଵିନୀ ମାର୍କେଟ ଅଞ୍ଚଳ କେତେକ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବୋଲି ଏଠାରେ ଦୋକାନୀମାନେ ଅଭିଯୋଗ କରିଛନ୍ତି। ଦୋକାନ ବନ୍ଦ କରିବା ପରେ ସେମାନେ ଏଠାରୁ ପଳାଇଗଲା ପରେ ଏହା ସେମାନଙ୍କ ଆଡ୍ଡାସ୍ଥଳୀ ହେଉଛି ବୋଲି ଅଭିଯୋଗ କରାଯାଇଛି। ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ଯବସ୍ଥା କରାଯିବାକୁ ସେମାନେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।
