ସୁନ୍ଦରଗଡ଼,୨୨/୦୭,(ଉତ୍କଳ ସମାଚାର): ମଙ୍ଗଳବାର ଦିନ ସଦଭାବନା ଭବନ ଠାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ସମ୍ବଲପୁର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ସମସ୍ତ ରାଜନୈତିକ ଦଳ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର ଜିଲ୍ଲାରେ ଚାଲିଥିବା ଏସ ଆଇ ଆର୍ ପ୍ରକ୍ରିୟା ଅର୍ନ୍ତଗତ ବିଭିନ୍ନ କାର୍ଯ୍ୟକଳାପ ଗୁଡ଼ିକ ଉପରେ ପି ପି ଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ମହାପାତ୍ର ଜିଲ୍ଲାରେ ଚାଲିଥିବା ଏସ ଆଇ ଆର୍ ପ୍ରକ୍ରିୟା ଉପରେ ନିଜର ସନ୍ତୋଷ ପ୍ରକଟ କରିଥିଲେ ଏବଂ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ ଯେ କ୍ଷେତ୍ର ସ୍ତରୀୟ କୌଣସି ସମନ୍ୱୟର ଅଭାବ କିମ୍ବା ଅନ୍ୟ କୌଣସି ଅସୁବିଧା ରହିଥିଲେ ତାହା ଜଣାଇବାକୁ। ଯାହା ଦ୍ଵାରା କି ସେହି ସମସ୍ୟା ଗୁଡ଼ିକ ସମୟ ସୀମା ମଧ୍ୟରେ ସମାଧାନ ବା ସଂଶୋଧନ କରାଯାଇ ପାରିବ ବୋଲି କହିଥିଲେ। ସେହିଭଳି ଯଦି ଅବଶିଷ୍ଟ ୭ ପ୍ରତିଶତ ଅନୁପସ୍ଥିତ, ସ୍ଥାନାନ୍ତର ମୃତ ତାଲିକା (ASD ତାଲିକା) ମଧ୍ୟରେ କୌଣସି ଯୋଗ୍ୟ ଭୋଟର ଥାଆନ୍ତି, ତେବେ ତାଙ୍କୁ ତୁରନ୍ତ ଚିହ୍ନଟ କରି ଭୋଟର ତାଲିକାରେ ସାମିଲ କରିବାରେ ସହଯୋଗ କରିବାକୁ ସମସ୍ତ ରାଜନୈତିକ ଦଳମାନଙ୍କୁ ପ୍ରସାଶନ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିରେ ସମସ୍ତ ରାଜନୈତିକ ଦଳମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ । ଏହି ଅବସରରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଭାରତୀୟ ଜନତା ପାର୍ଟିରୁ ଶ୍ରୀମତୀ କୁସୁମ ଟେଟେ, ଭେଷଜ ରଥ, କୁଲଦୀପ ସିଂ, ସୁରେନ୍ଦ୍ର ଦେହୁରୀ, ବିଜୁ ଜନତା ଦଳରୁ ଜୟ ନାରାୟଣ ତ୍ରିପାଠୀ, ଅମୀୟ କୁମାର ପ୍ରଧାନଙ୍କ ସମେତ କଂଗ୍ରେସ ପକ୍ଷରୁ ଅଜିତ ପ୍ରସାଦ ଏବଂ ପର୍ଶୁରାମ ସରାଫ ଉପସ୍ଥିତ ଥିଲେ।

