ସମ୍ବଲପୁର,୧୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ମୁଖ୍ୟମନ୍ତ୍ରୀ ଙ୍କ ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର ଜିଲ୍ଲାବାସୀଙ୍କୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍ଲର ପାଣିପାଗ ରାଡାରର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏବଂ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଗଠନ ସଂକଳ୍ପରେ ସମ୍ବଲପୁର ହେଉଛି ରାଜ୍ୟ ସରକାରଙ୍କ ବିକାଶ ଯାତ୍ରାର ମୁଖ୍ୟ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣର ଆରମ୍ଭରେ ମା’ ସମଲେଶ୍ଵରୀ, ବୀର ସୁରେନ୍ଦ୍ର ସାଏ, ଶହିଦ ମାଧୋ ସିଂ, ଛବିଲ ସାଏ, ସନ୍ଥକବି ଭୀମଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେ କହିଥିଲେ ଯେ ସମ୍ବଲପୁରୀ ଭାଷା, ସଂସ୍କୃତି, ଗୀତ ଓ ଶାଢ଼ୀ ସମଗ୍ର ଆଞ୍ଚଳିକ ପରିଚୟର ଗୌରବ। ଉଦ୍ଘାଟିତ ଓ ଶିଳାନ୍ୟାସ ହୋଇଥିବା ୯୬୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଏବଂ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ସାମିଲ ଅଛି। ଏଥିରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ (କୁଚିଣ୍ଡା ପାଇଁ ୬୦.୫୦ କୋଟି), କ୍ରୀଡ଼ା (୭୪.୭୨ କୋଟି), ସଡ଼କ ଓ କୋଠା ନିର୍ମାଣ (୫୮୫ କୋଟି) ଏବଂ ଜଳସମ୍ପଦ କ୍ଷେତ୍ରରେ ୨୨୦.୫୬ କୋଟି ଟଙ୍କାର ମେଗା ଲିଫ୍ଟ ଜଳସେଚନ ଓ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଭୁବନେଶ୍ୱର ବାହାରେ ସମ୍ବଲପୁରର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ମଧ୍ୟ କରାଯାଇଥିଲା।ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ‘ସୁଭଦ୍ରା’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଓ ‘କନ୍ୟା ସୁମଙ୍ଗଳ’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆଗକୁ ନିଆଯାଉଛି ଏବଂ ରାଜ୍ୟ ବଜେଟର ୪୦ ପ୍ରତିଶତ ମହିଳାଙ୍କ ପାଇଁ ବ୍ୟୟ ହେଉଛି। କେନ୍ଦ୍ର ଓ ରାଜ୍ୟର ‘ଡବଲ ଇଞ୍ଜିନ’ ସରକାରର ସଫଳତା ଗଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ୯୦ ହଜାର କୋଟିର ରେଳ, ୪୦ ହଜାର କୋଟିର ସଡ଼କ, ୨୫ ହଜାର କୋଟିର ବନ୍ଦର ଏବଂ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପ ମିଳିଛି I ସମ୍ବଲପୁରରେ ୧,୫୨୧ କୋଟି ଟଙ୍କାର ୪-ଲେନ୍ ବାଇପାସ୍, ଭୀମସାରର ୧,୭୦୦ କୋଟିର ସମ୍ପ୍ରସାରଣ, ୧୦୦ କୋଟିର ଅକ୍ୱା ପାର୍କ , ଏବଂ ୧୦୦ କୋଟି ଟଙ୍କାର ‘ସମଲେଇ ଫେଜ୍-୨’ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ରଙ୍ଗବତୀ’ ଗୀତର ତିନିଜଣ ସ୍ରଷ୍ଟା ଓ ଶିଳ୍ପୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରାଯିବା ପ୍ରସଙ୍ଗ ଉଲ୍ଲେଖ କରି ସେ ସଂସ୍କୃତି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ଓ ବିଶ୍ୱକର୍ମା ପୂଜା ଅବସରରେ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ, ‘ଆଶୀର୍ବାଦର ଦୀପ’ ଏବଂ ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୀପ ଲଗାଇ ଟଙ୍କାର ଦୀର୍ଘ ନିରାମୟ ଜୀବନ କାମନା କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାରେ ଡପ୍ଲର ପାଣିପାଗ ରାଡାରର ସ୍ଥାପନା ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଓ ଆବଶ୍ୟକତାକୁ ପୂରଣ କରିଛି। ସେ ଦର୍ଶାଇଥିଲେ ଯେ ଓଡ଼ିଶା ସରକାର ବିପର୍ଯ୍ୟୟ ପୂର୍ବପ୍ରସ୍ତୁତି ଓ ଆଗୁଆ ସୂଚନା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ସମ୍ବଲପୁରଠାରେ କାର୍ଯ୍ୟକ୍ଷମ ହୋଇଥିବା ଏହି ରାଡାର ଦ୍ୱାରା କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାର କୃଷକ, ଆଞ୍ଚଳିକ ଜନସାଧାରଣ ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀ ବିପଦର ବହୁ ଆଗରୁ ବଜ୍ରପାତ, ପ୍ରବଳ ବର୍ଷା ଓ ଝଡ଼ତୋଫାନର ସଠିକ୍ ତଥ୍ୟ ପାଇପାରିବେ। ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀଠାରେ ମଧ୍ୟ ନୂତନ ଡପ୍ଲର ରାଡାର ସ୍ଥାପନ କରାଯାଇ ସମଗ୍ର ଓଡ଼ିଶାକୁ ଏକ ସୁରକ୍ଷିତ ଏବଂ ପ୍ରଯୁକ୍ତିବିଦ୍ଧି-ଭିତ୍ତିକ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଅଧୀନକୁ ଅଣାଯିବ ବୋଲି ଶ୍ରୀ ପୁଜାରୀ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଧାୟକ ଜୟ ନାରାୟଣ ମିଶ୍ର, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, ଏସଆରସି ରାଜେଶ ପ୍ରଭାକର ପାଟିଲ, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

