ରାଉରକେଲା ,୨୯/୧୨(ଉତ୍କଳ ସମାଚାର):: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ଶୁଭ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କର କମଳରେ ଆଜି ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ରାଉରକେଲା ମହାନଗର ନିଗମ ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ପକ୍ଷରୁ ଉଦିତନଗର ସ୍ଥିତ ହନୁମାନ ବାଟିକା ରିଙ୍ଗ ରୋଡ ଛକ ଠାରେ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରିବା ପାଇଁ ଯୋଜନା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମାରୋହରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ବାଜପେୟୀଙ୍କ ପ୍ରଥମ ମନ୍ତ୍ରୀ ମଣ୍ଡଳରେ ସେ ମନ୍ତ୍ରୀ ରୂପେ କାର୍ଯ୍ୟକରିବାକୁ ସୁଯୋଗ ପାଇଁ ଥିବା ପ୍ରକାଶ କରିଥିଲେ । ଅଟଳଜୀ ରାଉରକେଲାକୁ ବହୁବାର ଆସି ବେଦବ୍ୟାସ, ଟେଲିଫୋନ ଭବନ ପଡିଆ ଓ ବିର୍ସା ଛକ ପଡ଼ିଆରେ ଆୟୋଜିତ ସଭାରେ ଭାଷଣ ଦେଇଥିବା ପ୍ରକାଶ କରିଥିଲେ । ତାଙ୍କୁ ବିଜେପି ନେତାଙ୍କ ଛଡ଼ା କଂଗ୍ରେସ ନେତାମାନେ ମଧ୍ୟ ମାନୁ ଥିଲେ । ବିଶ୍ଵ ଦରବାରରେ ଜାମ୍ମୁ କାଶ୍ମୀର ଉପରେ ବକ୍ତବ୍ୟ ରଖିବା ପାଇଁ ପୂର୍ବତନ ପ୍ରଧାନ ମନ୍ତ୍ରୀ ପି ଭି ନରସିଂହ ରାଓ ବାଜପେୟୀଙ୍କୁ ଭାରତର ପ୍ରତିନିଧି କରି ଜାତିସଂଘ ପଠାଇଥିଲେ । ଯାହାଙ୍କ ସଫଳାର ସହ ଭାଷଣରେ ଜାମ୍ମୁ କାଶ୍ମୀର ଆଜି ଭାରତର ହୋଇରହିଛି। ଶାସକ ଦଳ ପକ୍ଷରୁ ବିପକ୍ଷ ନେତାଙ୍କୁ ପ୍ରତିନିଧି କରି ପଠାଇବା କମ ଗୌରବର କଥା ନୁହଁ। ଅଟଳଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନର ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପ୍ରମାଣ କରିଛନ୍ତି । ବହୁ ଚର୍ଚ୍ଚିତ ଓ ସଂଘର୍ଷମୟ ରାମ ମନ୍ଦିର ନିର୍ମାଣ କରି ପାରିଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଆଗେଇ ଚାଲିଛି । ବାଜପେୟୀ ଜଣେ ନେତା ଯାହାଙ୍କ ଆଦର୍ଶ ପ୍ରଥମେ ଦେଶ, ଦେଶ ଓ ରାଷ୍ଟ୍ର ସର୍ବୋପରି ଭାରତ ମାତାଙ୍କ ପାଇଁ ଜୀବନକୁ ସମର୍ପିତ କରିଥିଲେ, ଏହାକୁ ଆମକୁ ସ୍ମରଣ କରିବାକୁ ପଡ଼ିବ ଏବଂ ସେ ମାର୍ଗରେ ଅନୁପ୍ରାଣୀତ ହେବା ଆବଶ୍ୟକ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ନୌରେ ଅଟଳଜୀଙ୍କ ସଂଗ୍ରହାଳୟ ପାର୍କ ଉନ୍ମୋଚନ କରିଛନ୍ତି ତାକୁ ଦେଖିବାର ଅଛି । ଉନ୍ମୋଚିତ ହୋଇଥିବା ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଉପଦେଶ ଦେଇଥିଲେ । ଏହି ଅବସରରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟରେ ପାର୍ଟି ପ୍ରତି, ରାଷ୍ଟ୍ର ପ୍ରତି ଓ ଦେଶ ପ୍ରତି ନିଶ୍ୱାର୍ଥ ଭାବେ ଅଟଲଜୀ ଯେଉଁ ତ୍ୟାଗ ଓ ଆଦର୍ଶ ସମର୍ପିତ କରିଛନ୍ତି ତାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ସେ ପ୍ରଥମେ ଅଟଳଜୀଙ୍କୁ ଏକ ସଂଘ କାର୍ଯ୍ୟକ୍ରମରେ ଭେଟିବାର ସୁଯୋଗ ପାଇଥିବା ପ୍ରକାଶ କରିଥିଲେ । କର୍ମୀମାନେ ଅଟଳଜୀଙ୍କ ସଭାରେ ନିଜ ଖର୍ଚ୍ଚରେ କିଭଳି ସ୍ଵତଃ ପ୍ରବୃତ୍ତ ଭାବେଯୋଗ ଦେଉଥିଲେ ତାହା ବର୍ଣ୍ଣନା କରିଥିଲେ । ସୃତି କମିଟିର ଅଧ୍ୟକ୍ଷା ପ୍ରମିଳା ଦାସ ସ୍ଵାଗତ ଭାଷଣ ଦେବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଏହି କମିଟିର ସଂଯୋଜକ ପ୍ରକାଶ ପାଶୱାନ ସଂଯୋଜନା ଓ ପରିଚାଳନା କରିଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ, ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା , ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଅଗ୍ରୱାଲ, ସମାଜ ସେବିକା ଖୁସୁବୁ ଯାଦବ, ପୂର୍ବତନ ବଣାଇଁ ଜିଲ୍ଲା ସଭାପତି ରାସ ବିହାରୀ ପ୍ରଧାନ ଓ ମନୋଜ ପ୍ରଧାନ, ପୂର୍ବତନ ଚ୍ଯାମ୍ବର ଅଫ କମର୍ସ ସଭାପତି ଶୁଭ ପଟ୍ଟନାୟକ, ସୁନ୍ଦରଗଡ ଜିଲ୍ଲା ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦେଉରୀ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ଶଶାଙ୍କ ଜେନା, ଦୋଳ ଗୋବିନ୍ଦ ଦାସ, ଅମରେନ୍ଦ୍ର ଶର୍ମା , ଅଶୋକ ଲେଙ୍କା, ମଞ୍ଜରୀ ଦେବ ପ୍ରମୁଖ ମଞ୍ଚାସୀନ ଥିଲେ । ବେଦବ୍ୟାସ ଗୁରୁକୁଳ ଆଶ୍ରମର ଶିକ୍ଷକ ଓ ବିଦ୍ୟାର୍ଥୀମାନେ ବୈଦିକ ମନ୍ତ୍ରୋଚାରଣ କରିଥିଲେ । ସାଂସଦ ଖେଳ ମହୋତ୍ସବ-୨୦୨୫ ପ୍ରତିଯୋଗୀ ବିଜେତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଟଳ ସୃତୀ କମିଟିର ସଦସ୍ୟ ଲଖନ୍ ଲୋହାର୍, ଜହ୍ନ ନାୟକ, ବଟ କୃଷ୍ଣ ନାୟକ, ମମତା ମହାନ୍ତି, ପ୍ରତାପ ପଟ୍ଟନାୟକ, ବିନତି ଭୂମିଜ୍, ସମ୍ଭୁ ସିଂ, ଅନିଲ ମହାନନ୍ଦିଆ ଓ ସୁନିଲ କୈଠ ସହଯୋଗ କରିଥିଲେ । ବନ୍ଧମୁଣ୍ଡା ମଣ୍ଡଳ ସଭାପତି ଲଖନ ଲୋହାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆପେଖିତ ଅତିଥି, ନେତୃବୃନ୍ଦ, କର୍ମୀ , ଜନସାଧାରଣ ଆଦି ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

