ରାଉରକେଲା,୨୯/୧୨(ଉତ୍କଳ ସମାଚାର): : ଭାରତର ପୂର୍ବାଞ୍ଚଳରେ ଥିବା ସମସ୍ତ ରାମକୃଷ୍ଣ ମିଶନକୁ ନେଇ ଏକ ଭକ୍ତ ସମ୍ମିଳନୀ ସ୍ଥାନୀୟ ରାମକୃଷ୍ଣ ବିହାର ସ୍ଥିତ ରାମକୃଷ୍ଣ ମିଶନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଉରକେଲା ଶାଖା ସଚିବ ଦିବ୍ୟ ସ୍ବରୂପାନନ୍ଦ ଶାନ୍ତି ମନ୍ତ୍ର ଉଚ୍ଚାରଣ ଏବଂ ଗୀତାର ପଞ୍ଚଦଶ ଅଧ୍ୟାୟ ପାଠ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ରାଉରକେଲା ମିଶନର ପୂର୍ବତନ ସଚିବ ବୁଦ୍ଧ ଦେବାନନ୍ଦଙ୍କ ଦ୍ବାରା ସୁଲଳିତ କଣ୍ଠରେ ରାମକୃଷ୍ଣ ଭଜନ ଗାନ ପରେ ସାମୂହିକ ଧ୍ୟାନ ଏବଂ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। କଟକ ମିଶନରୁ ଆସିଥିବା ସ୍ବାମୀ ଜୀବନାଥାନନ୍ଦ ଭକ୍ତ ସମ୍ମିଳନୀର ତାତ୍ପର୍ଯ୍ୟ ଗୀତା, ଭାଗବତ ଏବଂ କେତେକ କାହାଣୀ ମାଧ୍ୟମରେ ବୁଝାଇ କହିଲେ ଯେ, ଭାଗବତରେ ପ୍ରଭୁ କହିଛନ୍ତି ଭକ୍ତ ମାନଙ୍କ ସମାଗମରେ ସେ ନିଜେ ଉପସ୍ଥିତ ରହି ଥା’ନ୍ତି। ଏହାହିଁ ଭକ୍ତ ସମ୍ମିଳନୀର ପ୍ରେରଣା। ମୁଖ୍ୟ ଅତିଥି ଭୁବନେଶ୍ୱର ମିଶନର ଅଧ୍ୟକ୍ଷ ସ୍ବାମୀ ଆତ୍ମପ୍ରଭା ନନ୍ଦ ରାମକୃଷ୍ଣଙ୍କ ଜୀବନୀ ଓ କଥାମୃତ ଆଧାରରେ ମୁଖ୍ୟ ପ୍ରବଚନ ନିବେଦନ କରିଥିଲେ। ଶ୍ରୀମତୀ ସୁସ୍ମିତା ନଷ୍କର ଏବଂ ତାଙ୍କ ଶିଷ୍ୟ ରିଷଭ ଗୁରୁଓ୍ବାରା ଭକ୍ତି ସଙ୍ଗୀତ ପରିବେଷଣ କରିଥିବାବେଳେ କୁମାରୀ ସାରିନୀ ଗୁରୁ ଓଡ଼ିଶୀ ମଙ୍ଗଳାଚରଣ ନୃତ୍ୟ ସହ ଦେବୀ ବନ୍ଦନା ପରିବେଷଣ କରିଥିଲେ। ତିତଲି ଫାଉଣ୍ଡେସନର ପଲ୍ଲବ ଚାଟାର୍ଜୀ ଏବଂ ସାଥୀ ମାନେ ଶ୍ରୀଜଗନ୍ନାଥ କଥା ଆଧାରିତ ଏକାଙ୍କିକା ପଠନ କରିଥିଲେ। ଏହି ଅବସରରେ ମିଶନ ଶାଖା ପରିସର ଏବଂ ଷ୍ଟେସନ ନିକଟସ୍ଥ ଗୋପବନ୍ଧୁ ପାଲି ଠାରେ ଦୁଇଟି ବସ୍ତିର ପ୍ରାୟ ଶହେରୁ ଉର୍ଦ୍ଧ୍ବ ପିଲାମାନଙ୍କ ପାଇଁ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ମାଧ୍ୟମରେ ନିଃଶୁଳ୍କ ଶିକ୍ଷାଦାନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ କଟକ ଶାଖାର ଉପ ସଚିବ ମହେଶ ଆତ୍ମା ନନ୍ଦ ପରିଚାଳନା କରିଥିବାବେଳେ ରାଉରକେଲା ଶାଖା ସଭାପତି ଇଂ ଭାରତ ଭୂଷଣ ମହାନ୍ତି, କୋଷାଧ୍ୟକ୍ଷ ଗୋରା ଚାନ୍ଦ ଘୋଷ ଏବଂ ବରିଷ୍ଠ ସଦସ୍ୟ ନଗେନ ରାୟ ପ୍ରମୁଖ ସହାୟତା କରିଥିଲେ । ଏହି ସମ୍ମିଳନୀରେ ଭୁବନେଶ୍ୱର, କଟକ, ଘାଟଶିଳା, କଲିକତା , ଜାମସେଦପୁର, ଚେରାପୁଞ୍ଜି, ରାଞ୍ଚି, ସମ୍ବଲପୁର ଓ ରାଉରକେଲାର ତିରିଶ ଜଣ ମହାରାଜଙ୍କ ସହ ଦେଢ଼ ଶହରୁ ଊର୍ଦ୍ଧ୍ବ ଭକ୍ତ ଯୋଗ ଦେଇଥିଲେ। ଶେଷରେ ରାଉରକେଲା ଶାଖା ସଚିବ ଦିବ୍ୟ ସ୍ବରୂପାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

