ରାଉରକେଲା,୫/୧:(ଉତ୍କଳ ସମାଚାର) ଆଜି ହନୁମାନ ବାଟିକା ଛକରେ ରାଉରକେଲା ପରିବହନ ବିଭାଗ ପକ୍ଷରୁ ବସ୍ ଯାଚଂ କରିବା ସହ ୨ଜଣ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା ।ମୁଁ ଆଜି ମଦ ପିଇନାହିଁ, ଗତକାଲି ପିଇଥିଲି । କାନ ଧରୁଛି, ଆଉ କେବେ ମଦ ପିଇ ଗାଡ଼ି ଚଳାଇବି ନାହିଁ,” ଜଣେ ବସ୍ ଡ୍ରାଇଭର ନିୟମିତ ଯାଞ୍ଚ ସମୟରେ ଧରାପଡ଼ିବା ପରେ ଏପରି କହିଥିଲେ । ବସ୍ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ଦେଖି ପରିବହନ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ ବା ଯାଚଂ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ସଡ଼କ ଦୁର୍ଘଟଣା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ପରିବହନ ବିଭାଗ ସାରା ରାଜ୍ୟରେ ଆକ୍ସନ ମୋଡ୍?କୁ ଆସିଛି । ସଡ଼କ ସୁରକ୍ଷା ଓ ଯାତ୍ରୀମାନଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପରିବହନ ବିଭାଗ ପକ୍ଷରୁ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଯାଚଂ ଅଭିଯାନ ଆରମ୍ଭ ହୋଇଛି । ଇସ୍ପାତ ସହର ରାଉରକେଲାରେ ମଧ୍ୟ ଗତକାଲିଠାରୁ ‘ଆମ ବସ୍’ ଏବଂ ଅନ୍ୟାନ୍ୟ ଯାତ୍ରୀବାହୀ ବସ୍?ଗୁଡ଼ିକର ଯାଞ୍ଚକୁ ଜୋରଦାର କରାଯାଇଛି । ଏହି ଯାଞ୍ଚ ସମୟରେ ବସ୍ ଚାଳକମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି କି ନାହିଁ, ତାହା ପରୀକ୍ଷା କରାଯିବା ସହ ଗାଡ଼ିର ଫିଟନେସ୍, ପ୍ରଦୂଷଣ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ରର ଯାଞ୍ଚ କରାଯାଉଛି । ଆଜି ହନୁମାନ ବାଟିକା ଛକ ଓ ପାନପୋଷ ଛକଠାରେ ଏହି ଚେକିଂ କରାଯାଉଛି । ଗତକାଲିର ଯାଞ୍ଚରେ କୌଣସି ବଡ଼ ଧରଣର ଅନିୟମିତତା ଦେଖାଯାଇ ନଥିବା ବେଳେ, ଆଜି ଜଣେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଅଭିଯୋଗରେ ଧରାପଡ଼ିଛନ୍ତି । ବସ୍?ଟି ରାଜ୍ୟ ବାହାରକୁ ଯାଉଥିବାରୁ ଏହା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି । ଉକ୍ତ ଡ୍ରାଇଭରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ସଡ଼କ ସୁରକ୍ଷା ନିଶ୍ଚିତ କରିବା ଏବଂ ଦୁର୍ଘଟଣା ରୋକିବା ପାଇଁ ଏଭଳି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

