ରାଉରକେଲା ୨୪/୧,(ଉତ୍କଳ ସମାଚାର):: ସେଲ୍ ଦ୍ବାରା ପରିଚାଳିତ ରାଉରକେଲା ଇସ୍ପାତ କାରଖାନା (ଆରଏସ ପି) ଦ୍ବାରା ସେଲ୍ ସ୍ଥାପନା ଦିବସ ପାଳନ ଅବସରରେ ଜାନୁଆରୀ ୨୪ ତାରିଖରେ ଆୟୋଜିତ ରାଉରକେଲା ହାଫ୍ ମାରାଥନର ଉଦ୍ଘାଟନୀ ସଂସ୍କରଣ ବିପୁଳ ସଫଳତା ସହକାରେ ସମ୍ପନ୍ନ ହୋଇଛି। ଏଥିରେ ଅନ୍ୟ ରାଜ୍ୟର ୧୨୫୧ ଜଣ ଜାତୀୟ ସ୍ତରୀୟ ଦୌଡାଳିଙ୍କ ସମେତ ୫୦୦୦ରୁ ଅଧିକ ଦୌଡାଳି ଏଆଇଏମ୍ଏସ୍ (ଆନ୍ତର୍ଜାତୀୟ ମାରାଥନ୍ ଏବଂ ଦୂରତା ଦୌଡ଼ ସଂଘ) ପ୍ରମାଣିକୃତ ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ଯାହା ଇସ୍ପାତ ସହର ରାଉରକେଲାକୁ ବିଶ୍ୱ ଦୌଡ଼ ମାନଚିତ୍ରରେ ସ୍ଥାନ ଦେଇଛି। ଏହାର ଫ୍ଲାଗ ଅଫ୍ ଉତ୍ସବରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ପୂର୍ବତନ ଡ଼ିଆଇସି ଅତନୁ ଭୌମିକ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ସିଆଇଏସଏଫ ଡ଼ିଆଇଜି ରତନ କୁମାର, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାୱାନୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନାଃ ଦସ୍ତାଗୀର, ବିପିୟୁଟି କୁଳପତି ପ୍ରଫେସର ଅମିୟ କୁମାର ରଥ, ଏନଆଇଟି ରାଉରକେଲା ନିର୍ଦ୍ଦେଶକ ପ୍ରଫେସର ଉମା ମହେଶ୍ବର ରାଓ, ଆରଏସପିର ସମସ୍ତ ନିର୍ବାହୀ ନିର୍ଦ୍ଦେଶକ, ଦୀପିକା ମହିଳା ସଂଘତିର ପରିଚାଳନା ପରିଷଦର ସଦସ୍ୟାଙ୍କ ସମେତ ବିଭିନ୍ନ ଟ୍ରେଡ ୟୁନିଅନ ଏବଂ ଅଧିକାରୀ ସଂଘର ପ୍ରତିନିଧି ତଥା ପ୍ରଖ୍ୟାତ କ୍ରୀଡାବିତମାନେ ଉପସ୍ଥିତ ଥିଲେ।

ଏହି ମାରାଥନରେ କ୍ରୀଡ଼ା ଜଗତରୁ ଅର୍ଜୁନ ପୁରସ୍କାର ପ୍ରାପ୍ତ ସୁନୀଲ ପାତ୍ର, ରୋମେନ ଘୋଷ, ଆନ୍ତର୍ଜାତୀୟ ମାରାଥନ ବିଜେତା ଡକ୍ଟର ସୁର୍ଜିତା ଗୋଦାରା, ଅର୍ଜୁନ ପୁରସ୍କାର ପ୍ରାପ୍ତ ରଚିତା ମିସ୍ତ୍ରୀ, ରାଉରକେଲା ପରିବାରର ହକି ତାରକା ଅଲିମ୍ପିଆନ ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ବୀରେନ୍ଦ୍ର ଲାକ୍ରାଙ୍କ ଉପସ୍ଥିତି ମଧ୍ୟ ଦେଖୁବାକୁ ମିଳିଥିଲା।
ଏହି ମେଗା ଇଭେଣ୍ଟର ଶୁଭାରମ୍ଭ ୨୧.୧ କିଲୋମିଟର ପୁରୁଷ ବର୍ଗକୁ ପତାକା ଦେଖାଇ ଶୁଭାରମ୍ଭ କରଯାଇଥିଲା। ପରେ ପରେ ବିଭିନ୍ନ ବୟସ ବର୍ଗର ପୁରୁଷ ଏବଂ ମହିଳାମାନଙ୍କ ପାଇଁ ୨୧.୧ କିଲୋମିଟର, ୧୦ କିଲୋମିଟର ଏବଂ ୫ କିଲୋମିଟର ଦୌଡ଼ ଏବଂ ଭିନ୍ନକ୍ଷମ ଅଂଶଗ୍ରହଣକାରୀଙ୍କ ପାଇଁ ୨ କିଲୋମିଟର ଦୌଡ଼ ଆରମ୍ଭ ହୋଇଥିଲା । ନିପୁଣ ଯୋଜନାକୃତ ଇଭେଣ୍ଟ କାର୍ଯ୍ୟସୂଚୀ ସମସ୍ତ ଦୌଡ଼ର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିଥିଲା I
ରାଉରକେଲାର ରିଙ୍ଗ ରୋଡ୍ ମାରାଥନ ପାଇଁ ଏକ ଚମତ୍କାର ପରିବେଶ ପ୍ରଦାନ କରିଥିଲା, ଦୌଡାଳିମାନେ ସବୁଜିମା ଭରା ପରିପାର୍ଶ୍ବ ଏବଂ ରିଙ୍ଗ ରୋଡର ମଧ୍ୟବର୍ତ୍ତୀ ଭାଗରେ ମନୋରମ ରଙ୍ଗବେରଙ୍ଗ କାଗଜ ଫୁଲ ଆଚ୍ଛାଦିତ ସ୍ଥାନ ଦେଇ ଗତି କରିଥିଲେ। ଏହି ପ୍ରାକୃତିକ ମାର୍ଗ ଅଂଶଗ୍ରହଣକାରୀମାନଙ୍କୁ କେବଳ ଏକ ସତେଜ ଏବଂ ପ୍ରେରଣାଦାୟକ ଅଭିଜ୍ଞତା ପ୍ରଦାନ କରିନଥିଲା ବରଂ ସହର ବିକାଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ସମନ୍ବିତ ମିଶ୍ରଣକୁ ମଧ୍ୟ ପ୍ରତିପାଦନ କରିଥିଲା । ଦୌଡାଳି ଏବଂ ଦର୍ଶକଙ୍କ ଠାରୁ ଏହାକୁ ବହୁ ପ୍ରଶଂସା ମଧ୍ୟ ମିଳି ଥିଲା।
ମାରାଥନ ମାର୍ଗରେ ଫନ ସେଣ୍ଟରମାନ ସ୍ଥାପନ କରାଯାଇଥିଲା, ଯେଉଁଠାରେ ଦୌଡାଳିମାନଙ୍କୁ ଉତ୍ସାହର ସହିତ ଚିୟରଲିଡର ଏବଂ ପିଲାମାନେ ଉତ୍ସାହିତ କରିଥିଲେ, ଯାହା ସମଗ୍ର ରାସ୍ତାରେ ବିପୁଳ ପ୍ରେରଣା ଯୋଗ କରିଥିଲା। ଅଂଶଗ୍ରହଣକାରୀଙ୍କ ସ୍ବଚ୍ଛନ୍ଦ, ସୁରକ୍ଷା ଏବଂ ସର୍ବୋତ୍ତମ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ମାର୍ଗରେ ହାଇଡ୍ରେସନ୍ ପଏଣ୍ଟ ଏବଂ ଚିକିତ୍ସା ସହାୟତା ପଏଣ୍ଟ ସମେତ ବିସ୍ତୃତ ବ୍ୟବସ୍ଥା ଉପଲବ୍ଧ କରାଯାଇଥିଲା।
ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଇସ୍ପାତ କାରଖାନା ଡିଆଇସି ଆଲୋକ ବର୍ମା, ଆରଏସପିର ନିର୍ବାହୀ ନିର୍ଦ୍ଦେଶକଙ୍କ ସହିତ ବିଭିନ୍ନ ବର୍ଗର ବିଜେତାମାନଙ୍କୁ ଟ୍ରଫି ଏବଂ ନଗଦ ପୁରସ୍କାର ପ୍ରଦାନ କରିଥିଲେ । ମାରାଥନର ବିଭିନ୍ନ ବର୍ଗରେ ବିଜେତାମାନଙ୍କୁ ମୋଟ ୭,୭୦,୮୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା I ଏହି ଅବସରରେ, ଡ଼ିଆଇସି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ରାଉରକେଲା ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଛି। ଅଞ୍ଚଳର କ୍ରୀଡା ପ୍ରତିଭାକୁ ପୋଷଣ କରିବାର ମହତ୍ତ୍ବ ଉପରେ ଗୁରୁତ୍ୱାରୋପ କରି, ସେ କରିଥିଲେ ଯେ ମାରାଥନରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଅଂଶଗ୍ରହଣକାରୀଙ୍କ ପାଇଁ ସର୍ବାଧିକ ପୁରସ୍କାର ରାଶି ରହିଛି। ଉଲ୍ଲେଖନୀୟ ଯେ, ସିଏସଆର ଗ୍ରାମଗୁଡ଼ିକର ଯୁବବର୍ଗଙ୍କ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପୂର୍ବ ରାତିରୁ ଅଣାଯାଇ ଷ୍ଟାଡିୟମରେ ରଖାଯାଇଥିଲା ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା ଏବଂ ଅନ୍ୟମାନଙ୍କୁ କାର୍ଯ୍ୟକ୍ରମ ପାଇଁ ବସ୍ରେ ଅଣାଯାଇଥିଲା ।
ଦୌଡ଼ ପୂର୍ବରୁ ହାଫ୍ ମାରାଥନର ଅଂଶଗ୍ରହଣକାରୀମାନଙ୍କୁ ଡକ୍ଟର ଗୋବାରା ଏବଂ ସୁଶ୍ରୀ ଅନୁପ୍ରିୟା ସିହ୍ନାଙ୍କ ମାର୍ଗଦର୍ଶନରେ ତୁମ୍ବା ମାଧ୍ଯମରେ ୱାର୍ମ ଅଫ କରାଯାଇଥିଲା । ଆରଏସପିର ନିଜସ୍ବ ମ୍ୟୁଜିକ୍ ବ୍ୟାଣ୍ଡ୍ ‘ନିନାଦ’ର ଲାଇଭ୍ ମ୍ୟୁଜିକ୍ ଉତ୍ସବ ପରିବେଶକୁ ଆହୁରି ସ୍ପନ୍ଦନଶୀଳ କରିବା ସହିତ ସ୍ଥାନଟି ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରିଦେଇ ଥିଲା ।
