*ଉଠା ଦୋକାନୀ ଓ ବୁଲା ବିକାଳୀଙ୍କୁ ଋଣ ଓ କ୍ରେଡିଟ୍ କାର୍ଡ ପ୍ରଦାନ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ*
ରାଉରକେଲା, 24/1(ଉତ୍କଳ ସମାଚାର): ଉଠା ଦୋକାନୀ ତଥା ବୁଲା ବିକାଳୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମ ଠାରେ ୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଋଣ ପ୍ରଦାନ ସହ ନୂତନ ଭାବେ କ୍ରେଡିଟ୍ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ସ୍ଥାନୀୟ ରାଉରକେଲା ମହାନଗର ନିଗମର ପାଠାଗାର ଠାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଏହି ଅନନ୍ୟ କାର୍ଯ୍ୟକ୍ରମ ଗରୀବି ଉନ୍ମୁଳନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କହିବା ସହ ପ୍ରଶଂସା କରିଥିଲେ। କମ୍ ସୁଧରେ ଋଣ ସହ ଦୀର୍ଘ ପରିଶୋଧ ଅବଧି ମିଳୁଥିବାରୁ ହିତାଧିକାରୀମାନେ ବିଶେଷ ଭାବେ ଉପକୃତ ହେବା ସେ କହିଥିଲେ। ସମାଜର ସବୁ ବର୍ଗର ଲୋକଙ୍କ ସହଭାଗିତାରେ ସରକାର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ, ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଏକ ଉତପ୍ରେରକ ଭୂମିକା ନିଭାଇବା ସହ ଉଠା ଦୋକାନୀ ତଥା ବୁଲା ବିକାଳୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ବୋଲି ସେ କହିଥିଲେ।
ସାରା ଦେଶରେ ୧ ଲକ୍ଷ ହିତାଧିକାରୀଙ୍କୁ ଆଜି ଋଣ ପ୍ରଦାନ କରାଯାଇଥିବା ବେଳେ ରାଉରକେଲା ସହରରୁ ଶତାଧିକ ହିତାଧିକାରୀ ଏଥିରେ ସାମିଲ ଅଛନ୍ତି। ଏଥିସହ ୩୬ ଜଣ ହିତାଧିକାରୀ କ୍ରେଡିଟ୍ କାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ, ପିଏମ୍ ସ୍ଵନିଧି ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମେ ୧୫ ହଜାର ଏହାକୁ ପରିଶୋଧ କରିବା ପରେ ୨୫ ହଜାର ଏବଂ ଶେଷରେ ୫୦ ହଜାର ଟଙ୍କାର ଋଣ ପ୍ରଦାନ କରାଯାଉଛି। କମ୍ ସୁଧ ହାର ସହ ସହଜ ଋଣ ପ୍ରକ୍ରିୟା ଓ ସୁବିଧାଜନକ ପରିଶୋଧ ଅବଧି ମିଳୁଥିବାରୁ, ଏଥି ନିମନ୍ତେ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉଛି। ବର୍ତ୍ତମାନ ସରକାର ନୂତନ ଭାବେ କ୍ରେଡିଟ୍ କାର୍ଡ ବ୍ୟବସ୍ଥାର ପ୍ରଚଳନ କରିଥିବାରୁ ହିତାଧିକାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି।
ଏହି ସିଧାପ୍ରସାରଣ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
