ରାଉରକେଲା ୨୪/୩, (ଉତ୍କଳ ସମାଚାର):ପୋଲିସ୍ ଜିଲ୍ଲାରେ ଥିବା ବରିଷ୍ଠ ନାଗରିକ ସେଲ୍ ମାଧ୍ଯମରେ ବୟୋଜ୍ୟେଷ୍ଠ ନାଗରିକଙ୍କ ପ୍ରତି ରାଉରକେଲା ପୋଲିସର ଅତୂଟ ସମର୍ଥନକୁ ସକ୍ରୀୟ କରିବା ପାଇଁ ଆଜି ରାଉରକେଲା ପୋଲିସ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଜ୍ଯେଷ୍ଠ ବା ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ଭାବେ, ରାଉରକେଲା ପୋଲିସ ଥାନା ସ୍ତରରେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନ ପାଇଁ ପୂର୍ବରୁ ରହିଥିବା ସିନିଅର ସିଟିଜେନ୍ ସେଲ୍କୁ ଆହୁରି ସୁଦୃଢ କରାଯାଇଛି। ସୁରକ୍ଷା ସମସ୍ୟା ସମାଧାନ ସହିତ, ଏହି ସେଲ୍ ଅପରାଧ ପ୍ରତିରୋଧ, ସାଇବର ସୁରକ୍ଷା ଓ ଆଇନଗତ ଅଧିକାର ସମ୍ୱନ୍ଧୀୟ ସଚେତନତା ବୃଦ୍ଧି କରି ବରିଷ୍ଠ ନାଗରିକମାନଙ୍କୁ ସ୍ବୟଂ ସୁରକ୍ଷିତ ରହିବାରେ ସକ୍ଷମ କରାଯାଇଛି। ସ୍ଥାନୀୟ ଥାନାମାନଙ୍କ ସହ ସମନ୍ୱୟ ରଖି ସମସ୍ୟାଗୁଡ଼ିକୁ ଶୀଘ୍ର ଓ କାର୍ଯ୍ୟକାରୀ କରାଯିବା ସହିତ ସମାଧାନ କରାଯାଉଛି I
ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ଠାରେ ରାଉରକେଲାର ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ବଣ୍ଟନ କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ସହରର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୬୨ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି।
ପଦକ୍ଷେପ ସ୍ବରୂପ ରାଉରକେଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ସୁନିଶ୍ଚିତତା ଓ କଲ୍ୟାଣ ବୃଦ୍ଧି ପାଇଁ ଚାଲୁଥିବା ପ୍ରୟାସର ଅଂଶ ଅଟେ। ଏହି ପରିଚୟ ପତ୍ର ମାଧ୍ୟମରେ ସହଜ ଚିହ୍ନଟ, ଶୀଘ୍ର ସହାୟତା ଓ ବୃଦ୍ଧମାନଙ୍କ ପାଇଁ ପୋଲିସର ପହଞ୍ଚ ଉନ୍ନତ କରିବାକୁ ଜରୁରୀ ସମୟରେ ସହାୟତା ମିଳିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ, ରାଉରକେଲା ସହର ଅଧୀନରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ମୋଟ ୮୬ ଜଣ ବିଟ୍ ଅଫିସର୍ ନିଯୁକ୍ତ କରାଯାଇଛନ୍ତି I ସେମାନଙ୍କୁ ଜ୍ୟେଷ୍ଠ ନାଗରିକମାନଙ୍କ ସହ ସମୟୋପଯୋଗୀ ସମ୍ପର୍କ ରଖିବା, ସେମାନଙ୍କ ସମସ୍ୟା ଶୁଣିବା ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ଦାୟିତ୍ବ ଦିଆଯାଇଛି। ରାଉରକେଲା ପୋଲିସ ସମୁଦାୟମୂଖୀ ପୋଲିସିଂ ପ୍ରତି ପ୍ରତିବଦ୍ଧ ରହି ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସହାୟକ ଓ ପ୍ରଗତିଶୀଳ ପରିବେଶ ସୃଷ୍ଟି ପାଇଁ ନିରନ୍ତର ପ୍ରୟାସ କରିବ ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ ।

